ସ୍ୱାମୀର ତଣ୍ଟି କାଟି ହତ୍ୟା କଲା ସ୍ତ୍ରୀ

ଆଠଗଡ଼ : ସ୍ୱାମୀର ତଣ୍ଟି କାଟି ହତ୍ୟା କଲା ନିଜ ସ୍ତ୍ରୀ । ଆଠଗଡ଼ ପୌରାଞ୍ଚଳ ୪ ନମ୍ବର ୱାର୍ଡ ହରିଜନ ସାହିରେ ଏହି ଜଘନ୍ୟ ଘଟଣା ଘଟିଛି । ମୃତ ସ୍ୱାମୀଙ୍କ ନାମ ମଙ୍ଗୁଳି ନାଏକ । ପାରିବାରିକ କଳହକୁ ନେଇ ଏହି ଘଟାଇଥିବା ପୋଲିସ ଆଗରେ ସ୍ୱୀକାର କରିଛି ସ୍ତ୍ରୀ । ସ୍ତ୍ରୀ ରୀନା ନାଏକ ଓ ତାଙ୍କ ସ୍ୱାମୀ ମଧ୍ୟରେ ଦୀର୍ଘ ଦିନ ଧରି କଳହ ଲାଗି ରହୁଥିଲା ।

ସୂଚନାଯୋଗ୍ୟ ଯେ, ସେ ପ୍ରଥମେ ମାମି ନାଏକଙ୍କୁ ବାହା ହୋଇଥିଲେ ଓ ତାଙ୍କର ଛୋଟିଆ ଝିଅଟିଏ ରହିଛି । ଏହା ବାଦ ମଙ୍ଗୁଳି ପ୍ରେମ କରି ରୀନାଙ୍କୁ ଦ୍ୱିତୀୟ ବିବାହ କରିଥିବା ଜଣାପଡ଼ିଛି । ଯାହାକୁ ତାଙ୍କ ପ୍ରଥମ ସ୍ତ୍ରୀ ଘୋର ବିରୋଧ କରିବା ସହ ଦ୍ୱିତୀୟ ସ୍ତ୍ରୀକୁ ନିଜ ଘରକୁ ଆଣିଥିଲା ମଙ୍ଗୁଳି । ସେଥିପାଇଁ ପ୍ରାୟ ସମୟରେ ଉଭୟ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା ।

ସେହିପରି ଆଜି ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଜୋରଦାର ଗଣ୍ଡୋଗୋଳ ହୋଇଥିଲା । ଏଥିରେ ହସ୍ତକ୍ଷେପ କରିଥିଲେ ମଙ୍ଗୁଳି । ଏହି ସମୟରେ ରୀନା ଏଥିରେ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଛୁରୀରେ ମଙ୍ଗୁଳିର ତଣ୍ଟି ଓ ପେଟକୁ ଆଘାତ କରି ହତ୍ୟା କରିଥିଲା । ଘଟଣାସ୍ଥଳରେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଘଟଣାସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ଦ୍ୱିତୀୟ ପତ୍ନୀ ରୀନାଙ୍କୁ ଗିରଫ କରିଥିବା ଜଣାପଡିଛି । ଅନ୍ୟପକ୍ଷରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ।