ନାରୀଜାତି କ’ଣ ସମାଜର ପରମଶତ୍ରୁ?

ଆଜକୁ ଦେଢ଼ଶହ ବର୍ଷ ତଳେ ଜଣେ ମହିଳା ଥିଲେ । ନାମ କର୍ନେଲିୟା ସୋରାବଜୀ । ବମ୍ବେ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଆଇନ ଅଧ୍ୟୟନ ଶେଷ କରି ସ୍ୱଦେଶକୁ ପ୍ରତ୍ୟାବର୍ତନ କରିଥିବା ପ୍ରଥମ ମହିଳା । ଆଇନ ପାଠ ପଢ଼ିଲେ କ’ଣ ହେବ? ବମ୍ବେ ହାଇକୋର୍ଟ ତାଙ୍କୁ ଆଇନ ପେଶା ପାଇଁ ଅନୁମତି ଦେଲେନି । ସେତେବେଳେ ୟେ ଦେଶର ଆଇନ କେବଳ ପୁରୁଷଙ୍କୁ କଳାକୋର୍ଟ ପିନ୍ଧି, ଗଳାରେ ଟାଇ ଲଗାଇ କୋର୍ଟରୁମରେ ବିଚାରପତିଙ୍କ ଆଖିରେ ଆଖି ମିଶାଇ ଯୁକ୍ତି କରିବାକୁ ଅନୁମତି ଦେଇଥିଲା । ନାରୀଙ୍କ ପାଇଁ କୋର୍ଟ ଦୁଆର ମନା ଥିଲା । ଆମେ ଏପରି କହିବାର ଅର୍ଥ ହେଉଛି ସ୍ନାତକ ପରେ ଅକ୍ସଫୋର୍ଡ ଟପର ହୋଇ ସୁଦ୍ଧା ଆମେ ଦେଶର ରୁଢ଼ିବାଦୀ ଆଇନ ବ୍ୟବସ୍ଥା କର୍ନେଲିୟାଙ୍କୁ ଆଇନ ପେଶା ଆଦରିବା ବାଟରେ କଂଟା ହୋଇଗଲା ।

ଅତୀତ ଭାରତର ଆଉ ଜଣେ ମହିଳା ହେଉଛନ୍ତି ପୁଣେନ ଲୁକସେ । ଦେଶର ପ୍ରଥମ ମହିଳା ଡାକ୍ତର । ଯେତେବେଳେ ପୁଣେନ ଡାକ୍ତରୀ ପାଠ ପଢ଼ିବା ପାଇଁ ତିରୁବନନ୍ତପୁରମସ୍ଥିତ ମହାରାଜା କଲେଜକୁ ଗଲେ, କଲେଜରେ ନାମ ଲେଖିବା ପାଇଁ ଅନୁମତି ଦିଆଗଲାନି । କ’ଣ ପାଇଁ ଜାଣିଛନ୍ତି? ମହିଳା ହୋଇଥିବାରୁ ତାଙ୍କୁ ଡାକ୍ତରୀ ପାଠ ପଢ଼ିବା ପାଇଁ ଅନୁମତି ମିଳିଲାନି ।

କଲେଜରେ ଅଜବ ନିୟମ ପ୍ରଚଳନ ଥିଲା, ଝିଅମାନେ ଡାକ୍ତରୀ ପାଠ ପାଇଁ ନାମ ଲେଖାଇ ପାରିବେନି । ପରିଣାମ ସ୍ୱରୂପ ପୁଣେନ ଘରେ ରହି ବାପାଙ୍କର ଡାକ୍ତରୀ ପୁସ୍ତକ ପଢ଼ିବାକୁ ଲାଗିଲେ । ବିଜ୍ଞାନ କଲେଜରେ ଝିଅଙ୍କୁ ନାମ ଲେଖିବା ପାଇଁ ଅନୁମତି ନମିଳିବାରୁ ସେ ଅନ୍ୟ ଉପାୟ ନପାଇ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ଇତିହାସରେ ନାମ ଲେଖାଇଲେ । ଏହିଭଳି ବହୁ କାହାଣୀ ପୁରୁଷ ପ୍ରାଧାନ୍ୟ ସମାଜର କଳଙ୍କିତ ମନୋଭାବକୁ ଶାଣିତ କରିଛି ।

ସମୟ ଆସିଛି, ନାରୀ ପାଇଁ ରାସ୍ତା ଛାଡ଼ି ଦିଆଯାଉ । ତାଙ୍କର ଗତିପଥକୁ ସରଳ, ସହଜ ଓ ସୁଗମ କରି ଦିଆଯାଉ । ନାରୀକୁ ଘରକଣରେ ରଖିବାର ଅର୍ଥ ସମାଜ ଗୋଡ଼ରେ ବେଡି ପକାଇବା । ମହାପୁରୁଷମାନେ ନାରୀକୁ ନିଆଁ ରୂପେ ବର୍ଣ୍ଣନା କରିଛନ୍ତି । ନିଆଁକୁ ସର୍ବଦା ନିୟନ୍ତ୍ରଣ ଭିତରେ ରଖାଯିବା ଦରକାର; ତା’ ନହେଲେ ସେ ସାରା ଦୁନିଆକୁ ଜାଳିପୋଡ଼ି ଛାରଖାର କରିଦେବ । ସତରେ କ’ଣ ନାରୀଜାତି ସମାଜର ପରମଶତ୍ରୁ?