ଆରମ୍ଭ ହେଲା ବିଜେପିର ବନ୍ୟା ରାଜନୀତି

ଯମୁନା ନଦୀର ବନ୍ୟାପାଣି ବିପଦ ସଂକେତ ତଳକୁ ଟିକେ ଚାଲିଯିବା କ୍ଷଣି ବିଜେପି ଆରମ୍ଭ କରିଦେଇଛି ହୀନ ରାଜନୀତି । ଦିଲ୍ଲୀର ତଳିଆ ଅଂଚଳରୁ ପଳାଇ ଆସି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିବା ପରିବାରକୁ ସେମାନଙ୍କ ଘରକୁ ପଠାଇବା ସହିତ ଖାଦ୍ୟପେୟର ବନ୍ଦୋବସ୍ତ କରିବା ବଦଳରେ କେନ୍ଦ୍ରର ମୋଦି ସରକାର ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ଜରିଆରେ କେଜ୍ରିୱାଲ ସରକାରଙ୍କ ମୁଣ୍ଡରେ ଦୋଷ ଲଦିଛି । ଗତ ଦୁଇବର୍ଷ ହେଲା କେଜ୍ରିୱାଲ ସରକାର ବନ୍ୟା ନିୟନ୍ତ୍ରଣ କମିଟି ବୈଠକ ଡକାଇ ନଥିବା କଥା ଉଠାଇଛନ୍ତି ଦିଲ୍ଲୀର ଉପ-ରାଜ୍ୟପାଳ ।

ଉପ-ରାଜ୍ୟପାଳଙ୍କ ଅଫିସ ତରଫରୁ ଜାରି ଏକ ବୟାନରେ କୁହାଯାଇଛି, ଗତ ଜୁନମାସରେ ଦିଲ୍ଲୀ ବନ୍ୟା ନିୟନ୍ତ୍ରଣ କମିଟିର ବୈଠକ କରାଯାଇନି ଯାହା କେଜ୍ରିୱାଲ ସରକାରଙ୍କର ଗୁରୁତର ଅପରାଧ । ଉକ୍ତ ବୈଠକରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ସେନା ଓ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀମାନେ ଯୋଗ ଦିଅନ୍ତି । ବୈଠକ ପରେ ବନ୍ୟା ନିୟନ୍ତ୍ରଣ ପାଇଁ ସତର୍କତା ଜାରି କରାଯାଇଥାଏ । ବିନା ବୈଠକ ଓ ପ୍ରସ୍ତୁତିରେ କେଜ୍ରିୱାଲ ସରକାର ବନ୍ୟା ନିୟନ୍ତ୍ରଣ ନିର୍ଦ୍ଦେଶନାମା ଜାରି କରିବା ଦୋଷାବହ । ଆପ୍‌ ସରକାର ଏଭଳି ଅଭିଯୋଗକୁ ଏଡ଼ାଇ ଯାଇଛି । ଆପ୍‌ କହିଛି, ଜୁଲାଇ ୬ ତାରିଖରେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ଆତିଶିଙ୍କ ଅଧ୍ୟକ୍ଷତାରେ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା ।

ସୂଚନା ମୁତାବକ, ୫ ଦିନ ପରେ ଯମୁନାରେ ବନ୍ୟାପାଣି କମିବା ଆରମ୍ଭ କରିଛି । ରବିବାର ସକାଳ ୧୧ଟାରେ ଯମୁନାର ଜଳସ୍ତର ୨୦୫.୯୧ ମିଟର ଥିଲା । ଦିଲ୍ଲୀ ନିକଟରେ ଯମୁନାର ବିପଦ ସଂକେତ ୨୦୫.୩୩ ମିଟର ।