‘ଲାଳୁଆ ସରକାରୀ ଅଧିକାରୀ ଦେଶ ପାଇଁ ବିପଦ’

ସୁନ୍ଦରୀ ଝିଅଙ୍କ ସାନ୍ନିଧ୍ୟ ପାଇବା ପାଇଁ ଡହଳ ବିକଳ ସରକାରୀ ଅଧିକାରୀମାନେ ଦେଶ ପାଇଁ ବଡ଼ ବିପଦ । ସେଭଳି ଅଧିକାରୀଙ୍କୁ ଚାକିରିରୁ ବିଦା କରି ଦିଆଯିବା ଦରକାର ବୋଲି ଜନମତ ପ୍ରକାଶ ପାଇଛି । ‘ଲଭ୍‌ ଫର୍‌ ଇଣ୍ଡିଆ’ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ସର୍ବେକ୍ଷଣ ରିପୋର୍ଟ ଏହା କହିଛି । ସର୍ବେକ୍ଷଣରେ ଭାଗ ନେଇଥିବା ଲୋକମାନଙ୍କୁ ପାକିସ୍ତାନର ହନିଟ୍ରାପ୍‌ ଫାଶରେ ଭାରତୀୟ ଅଧିକାରୀମାନେ ଫସୁଥିବା ସଂପର୍କରେ ଜଣାଇ ଦିଆଯିବା ପରେ ସେମାନଙ୍କ ମତାମତ ସଂଗ୍ରହ କରାଯାଉଥିଲା ।

ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ଲୋକଙ୍କ ଭିତରୁ ପ୍ରାୟ ୮୨% ଚରିତ୍ରହୀନ ଲୋକଙ୍କୁ ସରକାରୀ ଚାକିରିରୁ ବାଦ ଦିଆଯିବା ଦରକାର ବୋଲି କହିଥିଲେ । ଚରିତ୍ରହୀନ ସରକାରୀ ଅଧିକାରୀ ଦେଶ ପାଇଁ ବଡ଼ ଶତ୍ରୁ । ଶତ୍ରୁପକ୍ଷ ସୁନ୍ଦରୀଙ୍କ ମାୟାଜାଲରେ ଫସିଯିବା ପରେ ଦେଶକୁ ମହାବିପଦରେ ପକାଇ ଦେଉଛନ୍ତି ।
ସୂଚନା ମୁତାବକ ୫୯ ବର୍ଷୀୟ ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକର ଭାରତ ସରକାରଙ୍କ ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀ ଯିଏ ମେ’ ୩ ତାରିଖଠାରୁ ମହାରାଷ୍ଟ୍ର ଏଟିଏସ ହେପାଜତରେ ଅଛନ୍ତି ।

ପାକ୍‌ ଗୁପ୍ତଚର ସଂସ୍ଥା ଆଇଏସଆଇ ସହିତ ଜଡ଼ିତ ଜଣେ ସୁନ୍ଦରୀ ମହିଳାଙ୍କୁ ଭାରତର ପ୍ରତିରକ୍ଷା ବିଭାଗର କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । କୁରୁଲକରଙ୍କ ନାରୀଲୋଭ ଗୁଣ କାରଣରୁ ଭାରତର ଗୁପ୍ତଚର ସଂସ୍ଥା ଚିନ୍ତାରେ ପଡ଼ିଯାଇଛି । ଗୋଟିଏ ପଟେ ପାକ୍‌ ଗୁପ୍ତଚର ବିଭାଗ ଆଇଏସଆଇ ତା’ର ଭାରତ ବିରୋଧୀ କାର୍ଯ୍ୟକୁ ବୃଦ୍ଧି କରିଛି । ପାକିସ୍ତାନ ସୁନ୍ଦରୀଙ୍କୁ ହତିଆର ଭାବେ ବ୍ୟବହାର କରୁଛି ଆଇଏସଆଇ । ବିଶେଷ କରି ଭାରତର ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟରତ ଉଚ୍ଚ ଅଧିକାରୀମାନେ ପାକ୍‌ ମହିଳା ଗୁପ୍ତଚରଙ୍କ ମାୟାଜାଲରେ ପଡ଼ିବା ଅତ୍ୟନ୍ତ କ୍ଷୋଭର ବିଷୟ ।

ଗତ ତିନିବର୍ଷରେ ଡିଆରଡିଓ’ର ୯ ଜଣ ଅଧିକାରୀ ହନିଟ୍ରାପର ଶିକାର ହୋଇଛନ୍ତି । କୁରୁଲକରଙ୍କୁ ଫସାଇଥିବା ପାକ୍‌ ମହିଳା ଭାରତକୁ ଆସି ନଥିଲେ । ପାକିସ୍ତାନରେ ରହି ସଂପୃକ୍ତ ମହିଳା ନିଜକୁ ଭାରତର ଜଣେ ମହିଳା ଗବେଷିକା ବୋଲି ପରିଚୟ ଦେଇଥିଲେ ।

ପ୍ରତିବର୍ଷ ପ୍ରାୟ ୧୯ ଜଣ ଭାରତୀୟ ଅଧିକାରୀ ପାକିସ୍ତାନ ହନିଟ୍ରାପରେ ଫସିବା ଛୋଟକଥା ନୁହେଁ । ଚଳିତ ଜୁଲାଇ ୧୨ ତାରିଖରେ ଭାରତର ବୈଦେଶିକ ବିଭାଗର ଜଣେ ଅଧିକାରୀ ନବୀନ ପାଲଙ୍କୁ ଇଂଟେଲିଜେନ୍ସ ବ୍ୟୁରୋ ଗିରଫ କରିଛି । ନବୀନ ତାଙ୍କର ଫୋନ୍‌ ଜରିଆରେ ପାକ୍‌ ବନ୍ଧୁଙ୍କୁ ବହୁ ଗୁପ୍ତତଥ୍ୟ ପ୍ରଦାନ କରିଛନ୍ତି ବୋଲି କୁହାଯାଉଛି । ଆମ ଅଧିକାରୀମାନେ କ’ଣ ଏତେ ଲାଳୁଆ? ଏତେ ସହଜରେ ସୁନ୍ଦରୀ ପ୍ରେମରେ ପଡ଼ି ଭାରତକୁ ମହାବିପଦରେ ପକାଇ ଦେଉଛନ୍ତି ।