ବନ୍ୟାପାଣି ନୁହେଁ, ବର୍ଷାପାଣିରେ ଭାସିଲା କଟକ ସହର

କଟକ: ଶନିବାର ଲଗାଣ ବର୍ଷାରେ କଟକ ସହର ହାଲତ ଖରାପ । ମେରିଆ ବଜାର, ଦରଘା ବଜାର, ସତୀଚଉରା, ରାଉସପାଟଣା, ସୂତାହାଟ, ତିନିକୋଣିଆ ବଗିଚା, ବକ୍ସି ବଜାର, ପଟାପୋଲ ଭଳି ଅଂଚଳରେ ଜମି ରହିଛି ପାଣି । ଆଣ୍ଠୁଏ ପାଣିରେ ପଶି ଲୋକମାନେ ଚାଲିଚାଲି ଯାଉଥିବା ସମୟରେ ଚାରିଚକିଆ ଅତିକ୍ରମ କରିବାର ଦୃଶ୍ୟ ଆଖିରେ ନଦେଖିଲେ ଜଣେ ବିଶ୍ୱାସ କରିବ ନାହିଁ ।

ସବୁଠାରୁ ଦୁଃଖର କଥା ହେଉଛି, କଟକ ସହରରେ ବର୍ଷାପାଣି ସହିତ ନାଳନର୍ଦ୍ଦମା ପାଣି ମିଶିଯିବା ପରେ ଲୋକଙ୍କ ଚଳପ୍ରଚଳ ଅତି ଦୟନୀୟ । କଟକ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମକୁ ତୀବ୍ର ନିନ୍ଦା କରୁଛନ୍ତି କଟକ ବାସିନ୍ଦା ।

ଜଣେ ବରିଷ୍ଠ ନାଗରିକ କହନ୍ତି, ଏମିତି ତ ପିଲାଦିନୁ କଟକ ସହରରେ ବେଙ୍ଗ ମୁତିଲେ ପାଣି ଲହଡ଼ି ମାରିବାର ଦେଖିଆସିଛି । ମାତ୍ର ନବୀନ ପଟ୍ଟନାୟକଙ୍କ ଶାସନରେ ରାସ୍ତାଘାଟର ଚେହେରା ବଦଳିଛି; ମାତ୍ର ନାଳନର୍ଦ୍ଦମାର ପାଣି ଓ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ସୁଧୁରିନି । ନବୀନ ସରକାର ହଟିଲେ, ଅବସ୍ଥା ସୁଧୁରିବ କି ଆହୁରି ତଳକୁ ଯିବ, ସେତେବେଳେ ଜଣାପଡ଼ିବ ।

ସେହିପରି, କଟକ ସହରରେ ଜାଇକା ଯୋଜନା ଏ ଯାଏ ମୁଣ୍ଡି ମାରିନି । ଚଳିତବର୍ଷ କଟକ ସହର ଭାସିବ ନାହିଁ ବୋଲି ମେୟର କହୁଥିଲେ ବେଶ ଦମ୍ଭର ସହିତ । ହେଲେ ବର୍ଷା ହେବା ପରଠାରୁ କଟକ ଗଳିକନ୍ଦିରେ ତାଙ୍କର ଦର୍ଶନ ମିଳୁନି ।