ବିଜେଡିରେ ମିଶିବେ ଚିରଞ୍ଜିବୀ, ମୋକିମ!

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ ବାଦ ପଡ଼ିଛନ୍ତି ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ । କଂଗ୍ରେସର ଅବସ୍ଥା ଏବେ ଫୁଟାଡଙ୍ଗା ଭଳି । ସ୍ୱାଧିନତା ପରଠାରୁ କଂଗ୍ରେସ ଦଳ ଗାନ୍ଧୀ-ନେହୁରୁ ପରିବାର ହାତରେ ରହିଆସିଛି । ଗାନ୍ଧୀ-ନେହୁରୁ ପରିବାର ଅଭୟରେ ରହି କଂଗ୍ରେସ ବେଶ କିଛିବର୍ଷ ଧରି ଭାରତକୁ ଶାସନ କଲା । ମାତ୍ର ଅଟଳ ବିହାରୀ ବାଜପେୟୀଙ୍କ ଅମଳରୁ ଭାରତରେ ମେଂଟ ଶାସନର ଅଭ୍ୟୁଦୟ ଘଟିଲା ।

ମେଂଟ ଶାସନକୁ ଅସ୍ତ୍ର କରି ଆଜି ବିଜେପି ଲୋକସଭାର ୩୦୩ ଆସନକୁ ଦଖଲ କରିଛି । ମାତ୍ର କଂଗ୍ରେସର ଆସନ ସଂଖ୍ୟା ୫୦କୁ ଖସିଯାଇଛି । ଏପରି ସମୟରେ ମୋକିମ ଓ ଚିରଞ୍ଜିବୀଙ୍କୁ ଦଳରୁ ବାହାର କରି ରାଜ୍ୟ କଂଗ୍ରେସକୁ ଆହୁରି ଦୁର୍ବଳ କରାଯାଉଛି ।

ମଲ୍ଳିକାର୍ଜୁନ ଖାଡ଼ଗେଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ଆହୁରି ଦୟଦୀୟ ସ୍ଥିତିକୁ ଚାଲିଯିବନି ତ । ରାହୁଲଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ଦେଇ ସୋନିଆ ଯୋଉ ଭୁଲ କରିଛନ୍ତି, ତାକୁ ସୁଧାରିବା ପାଇଁ ସୋନିଆ ପୁଣି ଅଂଟା ଭିଡ଼ିଲେଣି ।

ଶୁଣିବାକୁ ମିଳୁଛି, ଶରତ ପଟ୍ଟନାୟକଙ୍କୁୂ ଦଳପତି ଭାବେ ମାନିବାକୁ ଚିରଞ୍ଜିବୀ ଓ ମୋକିମ ପ୍ରସ୍ତୁତ ନଥିଲେ । ଶରତଙ୍କ ବିନା ଅନୁମତିରେ ଏଭଳି କିଛି କାର୍ଯ୍ୟ କରୁଥିଲେ ଯାହା ଶରତଙ୍କୁ ବାଧ୍ୟ କରିଥିଲା କେନ୍ଦ୍ରୀୟ ନେତାଙ୍କ ନିକଟରେ ଅଭିଯୋଗ କରିବା ପାଇଁ ।

ମଳୁ ଖୋଜୁଥିଲା ବାସି ତୋରାଣି, ବଇଦ କହିଲା ପିଅ ତୋରାଣି । କଂଗ୍ରେସରୁ ତଡ଼ା ଖାଇଥିବା ନେତାମାନେ ବିଜେଡି ଗୁହାଳରେ କୋଟିନିଧି ହୋଇଛନ୍ତି । ଦିବଙ୍ଗତ ନେତା ନବକିଶୋର ଦାସ ସେମାନଙ୍କ ଭିତରୁ ଜଣେ ଥିଲେ । ଏବେ ବିଧାୟକ ମୋକିମ ଓ ଚିରଞ୍ଜିବୀଙ୍କୁ ବିଜେଡି ସ୍ୱାଗତ କରିବା ଅସମ୍ଭବ ନୁହେଁ ।