ଥରୁଟିଏ ପ୍ରଧାନମନ୍ତ୍ରୀ କରିଦିଅ ମାୟାଧର

ନରେନ୍ଦ୍ର ମୋଦି ଦୁଇପାଳି ପ୍ରଧାନମନ୍ତ୍ରୀ ହେବା ଭିତରେ ଗୁଜରାଟ ପ୍ରତି ଯେତିକି କୃପା କରିଛନ୍ତି; ତାହା ତାଙ୍କର ଗୁଜରାଟ ପ୍ରେମକୁ ପ୍ରମାଣିତ କରିଛି । ଗୁଜରାଟ ପାଇଁ କେନ୍ଦ୍ର ରାଜକୋଷରୁ ଯେତିକି ପରିମାଣର ଟଙ୍କା ମଂଜୁର କରାଯାଇଛି; ଅନ୍ୟ କୌଣସି ରାଜ୍ୟ ଅବା କେନ୍ଦ୍ରଶାସିତ ଅଂଚଳକୁ ସେତେ ପରିମାଣର ଟଙ୍କା ମଂଜୁର କରାଯାଇନି ।

ଲୋକସଭାରେ ୟୁପିକୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଜୀ ୟୁପି ତୁଳନାରେ ଗୁଜରାଟକୁ ଅଧିକ ଉଦାରତା ପ୍ରଦର୍ଶନ କରିଛନ୍ତି । ସଂକ୍ଷେପରେ କହିଲେ, ଗୁଜରାଟ ପୁଅକୁ ଲୋକସଭାକୁ ପଠାଇ ୟୁପି ସେଭଳି କିଛି ଅଧିକ ଲାଭବାନ ହୋଇଥିବାର ଜଣାପଡୁନି ।

ମୋଦୀଙ୍କ ଭଳି ଯୋଗ୍ୟ ପୁଅଟିଏ ପାଇ ଗୁଜରାଟ ଧନ୍ୟ ହୋଇଯାଇଛି । ତା’ ମାନେ ନୁହେଁ ଯେ ଦେଶର ଅନ୍ୟ ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳରେ ପ୍ରଧାନମନ୍ତ୍ରୀ ହେବାର ଦକ୍ଷତା ହାସଲ କରିଥିବା ପୁଅ ଜନ୍ମ ହୋଇନାହାନ୍ତି ।

ମୋ ମତରେ ସବୁ ରାଜ୍ୟର ରାଜନେତାଙ୍କୁ ଅନ୍ତତଃପକ୍ଷେ ଥରୁଟିଏ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ମିଳିବା ଦରକାର । ଚଳିତ ଥର ବିଜେପି ଏଭଳି ଐତିହାସିକ ପଦକ୍ଷେପ ଗ୍ରହଣ କରି କଂଗ୍ରେସର ଗାନ୍ଧୀ-ନେହୁରୁ ଗୋଡ଼ାଣିଆ ନୀତିକୁ ଚାପୁଡ଼ାଏ ମାରିବ କି?

ପ୍ରଭୁ ମାୟାଧର! ଥରୁଟିଏ ମୋତେ ପ୍ରଧାନମନ୍ତ୍ରୀ କରିଦିଅନ୍ତୁ । ଓଡ଼ିଶାକୁ ଦେଶର ଏକନମ୍ବର ବିକଶିତ ରାଜ୍ୟ କରିବା ପାଇଁ ଦିନରାତି ଏକ କରିଦେବି । ବିଦେଶରୁ କଳାଧନ ଆଣିବା ବଦଳରେ ନିର୍ବାଚନ ବଣ୍ଡ ଭଳି କଳାଧନକୁ ଧଳା କରିବାର ଅଭିନବ ବାଟ କରି ଦଳୀୟ ପାଣ୍ଠିରେ ୫ ବର୍ଷରେ ୧୫ ହଜାର କୋଟି ଧନ ସାଇତି ରଖିବି ।

ସେହି ଧନକୁ ନିର୍ବାଚନରେ ଖଟାଇ ବଂଚିଥିବା ଯାଏ ମୋରି ଦଳର ନେତା ଓ କର୍ମୀମାନଙ୍କର ଚଉଦ ପୁରୁଷକୁ ଉଦ୍ଧାର କରୁଥିବି ।