ଚିର ଯୌବନ ରହିବାର ଅପଚେଷ୍ଟା ନେଇଗଲା ଅଭିନେତ୍ରୀ ଶେଫାଳୀଙ୍କ ଜୀବନ

ବୟସକୁ କେହି କେବେ ବାନ୍ଧି ରଖିପାରିନି, ମାତ୍ର ସେହି ପ୍ରୟାସ ଯେ ଶେଫାଳୀଙ୍କୁ ମରଣ ମୁହଁକୁ ନେଇଯିବ, କେହି ଜାଣି ନଥିଲେ । ମୃତୁ୍ୟକୋଳକୁ ଚାଲିଯିବା ପରେ ଶେଫାଳୀ ସୌନ୍ଦର୍ଯ୍ୟକୁ ବାନ୍ଧି ରଖିବାକୁ ଚାହୁଁଥିବା ସୁନ୍ଦରୀ ତରୁଣୀ ଗୋଷ୍ଠୀଙ୍କୁ ଏକ ଉପଦେଶ ଦେଇ ପାରିଛନ୍ତି, ତାହା ହେଉଛି, ତାଙ୍କ ଭଳି କେହି ଯୌବନକୁ ଅଟକାଇବାର ପ୍ରୟାସ କରନ୍ତୁନି ।

‘କାଂଟା ଲଗା’ ସଂଗୀତର ତାଳେ ତାଳେ ଯୌବନର ମାଦକତାକୁ ଉତୁପାତିଆ ଯୁବକଙ୍କୁ ବିତରଣ କରି ରାତାରାତି ଲୋକପ୍ରିୟତା ସାଉଁଟିଥିବା ଶେଫାଳୀ ଜରିୱାଲା ଆଉ ନାହାନ୍ତି । ଜୁନ ୨୭ ତାରିଖ ଦିନ ହୃଦଘାତରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ଏକ ରକ୍ଷଣଶୀଳ ପରିବାରର କନ୍ୟା ମନୋରଂଜନ ଦୁନିଆକୁ ଧସେଇ ପଶି ମାତ୍ର ୪୨ ବର୍ଷ ବୟସରେ ଆରପାରିକୁ ଚାଲିଯିବେ ବୋଲି କେହି କଳ୍ପନା କରି ନଥିଲେ ।

ଜୁଲାଇ ୨ ତାରିଖ ଦିନ ଶେଫାଳୀଙ୍କ ସ୍ମୃତିସଭାରେ ତାଙ୍କ ବାପା ଭୋ ଭୋ କରି କାନ୍ଦି ଉଠିଥିଲେ । ଶେଫାଳୀଙ୍କ ସ୍ୱାମୀ ପରାଗ ତ୍ୟାଗୀ ଶଶୁରଙ୍କୁ କୌଣସି ମତେ ସମ୍ଭାଳି ନେଇଥିଲେ ।

ଝିଅର ଫଟୋ ନିକଟରେ ଆଞ୍ଜୁଳାଏ ଫୁଲ ରଖୁଥିଲା ବେଳେ ଛାତି ତଳର କୋହକୁ ଅଟକାଇ ପାରି ନଥିଲେ ବାପା । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ୪୨ ବର୍ଷ ବୟସରେ ପଦାର୍ପଣ କରିଥିବା ଶେଫାଳୀ ଏଭଳି କିଛି ବଟିକା ବ୍ୟବହାର କରୁଥିଲେ ଯାହା ତାଙ୍କୁ ୨୪ ବର୍ଷ ବୟସକୁ ନେଇଯିବାର କ୍ଷମତା ରଖିଥିଲା ।