ପ୍ରଚାରକ- ପ୍ରଧାନମନ୍ତ୍ରୀ- ପ୍ରଧାନ ସେବକ

ଦୀପକ ବେହେରା

ବ୍ୟକ୍ତିତ୍ୱର ଆକର୍ଷଣ କାହାକୁ କହନ୍ତି? ବ୍ୟକ୍ତିତ୍ୱର ପରାକାଷ୍ଠା ସାମୂହିକ ଏବଂ ସାମାଜିକ ଜୀବନ ଉପରେ ପ୍ରଭାବ ପକାଏ କି ? ଏ ପ୍ରଶ୍ନର ଉତ୍ତର ଯଦି ଆପଣ ଖୋଜୁଥାନ୍ତି, ତାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନଶୈଳୀକୁ ଅନୁଶୀଳନ କରନ୍ତୁ, ଉତ୍ତର ପାଇଯିବେ । ଏଥିପାଇଁ ଏକଥା କହିଲି, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ଭୂମିକାରୁ ଦେଶର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବା ପର୍ଯ୍ୟନ୍ତ , ନରେନ୍ଦ୍ର ମୋଦିଙ୍କ ଉତ୍ଥାନର କାହାଣୀ ଯେତିକି ଆକର୍ଷଣୀୟ ସେତିକି ଆଲୋଚ୍ୟର ବିଷୟ ମଧ୍ୟ । ବିଶେଷକରି ବିଗତ ୬ ବର୍ଷ ମଧ୍ୟରେ ମୋଦୀ ଦେଶବ୍ୟାପୀ ଜନସାଧାରଣଙ୍କ ସାମ୍ନାରେ ନିଜକୁ ଜଣେ ରାଷ୍ଟ୍ର ନାୟକ ଭାବେ ଯେପରି ଉପସ୍ଥାପିତ କରିପାରିଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ଅପହଞ୍ଚ ଏବଂ #ଈର୍ଷାର କାରଣ କହିଲେ ଅତ୍ୟୁକ୍ତି ହେବ ନାହିଁ।

Modi's roadshow in Varanasi | Reuters.com

କେତେକ ମୋଦିଙ୍କୁ #ଘୃଣା କରନ୍ତି, କେତେକ ମଧ୍ୟ ତାଙ୍କୁ ଆଖିବୁଜା ଭଲପାଇବା ଏବଂ ସମର୍ଥନ ଦେଉଛନ୍ତି, ମାତ୍ର ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟରେ ତାଙ୍କୁ କେହି #ଅଣଦେଖା କରିପାରିବେ ନାହିଁ। ଯାହାକି ଅପ୍ରିୟ ସତ। ବିଶେଷକରି ବିଗତ କିଛି ବର୍ଷ ମଧ୍ୟରେ ମୋଦି ନିଜର ବ୍ୟକ୍ତିତ୍ୱକୁ ଏମିତି #ଉଚ୍ଚତାରେ ପହଞ୍ଚାଇଛନ୍ତି, ଯେଉଁଠି ବିରୋଧୀଙ୍କ ସମାଲୋଚନା, ବିରୋଧ, ବ୍ୟକ୍ତିଗତ ଆକ୍ରମଣ ତଥା ନକରାତ୍ମକ ପ୍ରଚାର ପ୍ରସାର ଆପଣାଛାଏଁ #ନିଷ୍ପ୍ରଭ ହୋଇପଡୁଛି। ଆପଣ ଏହାକୁ ବ୍ରାଣ୍ଡିଂ କହିପାରନ୍ତି, ମୋଦି କ୍ଷମତାକୁ ବ୍ୟକ୍ତି କୈନ୍ଦ୍ରିକ କରୁଥିବା ନେଇ ଅଭିଯୋଗ କରିପାରନ୍ତି । ମାତ୍ର ‘ମୋଦୀ ବ୍ରାଣ୍ଡ’ ସାମ୍ନାରେ ଯେ ବିରୋଧୀ ଆଜି ନିଷ୍ପ୍ରଭ, ଶକ୍ତିହୀନ ସେକଥା ସଭିଙ୍କୁ ଗ୍ରହଣ କରିବାକୁ ପଡ଼ିବ।

ବ୍ରାଣ୍ଡ ଭ୍ୟାଲ୍ୟୁ କଥା ମୁଁ ଏଥିପାଇଁ କହିଲି, କାରଣ ନିକଟ ଭବିଷ୍ୟତର ଦେଶର ରାଜନୀତିକୁ ଆପଣ ଅନୁଶୀଳନ କରନ୍ତୁ, ବହୁତ କିଛି ଆଶ୍ଚର୍ଯ୍ୟ ଏବଂ ଅସମ୍ଭବ ଘଟିଯାଇଥିବା ନେଇ ଆପଣ ସ୍ପଷ୍ଟ ଅନୁଭବ କରିପାରିବେ। ଉଦାହରଣ ଭାବେ ଗତ ୟୁପି ନିର୍ବାଚନକୁ ନିଆଯାଇପାରେ। ବିଏସପି- ସମାଜବାଦୀ ପାର୍ଟି କେବେ ମେଣ୍ଟ କରି ନିର୍ବାଚନ ଲଢ଼ିବେ, ଏ କଳ୍ପନା କେହି କରିଥିଲେ କି? ଲାଲୁଙ୍କ ଶାସନକୁ ଜଙ୍ଗଲରାଜର ଆଖ୍ୟା ଦେଇ କ୍ଷମତାକୁ ଆସିଥିବା ବିହାରୀ ନୀତିଶ ବାବୁ ମଧ୍ୟ କିଛି ସମୟ ପାଇଁ ଆରଜେଡିର ହାତ ଧରିବାକୁ ବାଧ୍ୟ ହୋଇଥିଲେ। ନୀତି, ନୈତିକତା ଏବଂ ବିଚାରଧାରା ଦୃଷ୍ଟିରୁ ଆଜନ୍ମ ପରସ୍ପର ବିରୋଧୀ ଶିବସେନା ଏବଂ କଂଗ୍ରେସ ବର୍ତ୍ତମାନ ମେଣ୍ଟ କରିବାକୁ ବାଧ୍ୟ ହୋଇଛନ୍ତି। ଏପରି ରାଜନୈତିକ ବାଧ୍ୟବାଧ୍ୟକତା ଏବଂ ବିବସତା ପଛରେ କେବଳ ଜଣେ ମାତ୍ର ବ୍ୟକ୍ତି ରହିଛନ୍ତି; ନରେନ୍ଦ୍ର ମୋଦି।

Bihar Elections: Why PM Modi Seems More Worried Than Nitish Kumar

ଗତ 6 ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟର ବିଧାନସଭାଠାରୁ ଆରମ୍ଭ କରି ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ବିଜେପି କେବଳ ମୋଦିଙ୍କ ଚେହେରାକୁ ପାଥେୟ କରି ନିର୍ବାଚନ ଲଢ଼ିଛି। ଅନେକ ସ୍ଥାନରେ ଲୋକେ ସ୍ଥାନୀୟ ସମସ୍ୟା, ଚେହେରା ତଥା ଜାତି, ଗୋଷ୍ଠୀଭିତ୍ତିକ ରାଜନୈତିକ #ସମୀକରଣକୁ ପଛକୁ ଠେଲିଦେଇ ମୋଦିଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି। ଆପଣ କଣ ଏହାକୁ ଅସ୍ବୀକାର କରିପାରିବେ? ସାଧାରଣ ଲୋକଙ୍କ ସହ ନିଜକୁ ଯୋଡ଼ିବାର ଯେଉଁ କଳା ମୋଦିଙ୍କ ପାଖରେ ରହିଛି, ତାହା କ୍ଵଚିତ ନେତାଙ୍କ ପାଖରେ ଦେଖାଯାଏ। ସାଧାରଣ ଲୋକଙ୍କ ମାନସିକତାକୁ ପଢି, ସେମାନଙ୍କୁ #ସମ୍ମୋହିତ କରିବାର କଳା ହିଁ ଆଜି ତାଙ୍କୁ ସ୍ୱୟଂସମ୍ପୂର୍ଣ୍ଣ କରିପାରିଛି। #ବିକାଶ, #ହିନ୍ଦୁତ୍ୱ ଏବଂ #ରାଷ୍ଟ୍ରବାଦ ଏହି ତିନି ଏଜେଣ୍ଡାକୁ ମୋଦି ଅତି ସୂକ୍ଷ୍ମ ତଥା ସମତୁଲ ଭାବେ ନିଜ ସାଧାରଣ ଏବଂ ରାଜନୈତିକ ଜୀବନରେ ପ୍ରୟୋଗ କରିଛନ୍ତି। ଯାହା ତାଙ୍କୁ ସଫଳତା ଆଣି ଦେଇଛି।

ମୁସଲିମ ମହିଳାମାନେ ଟ୍ରିପଲ ତଲାକ ପରି ସାମାଜିକ ବ୍ୟାଧିକୁ ବର୍ଷ ବର୍ଷ ଧରି ଭୋଗି ଆସୁଥିବା ବେଳେ, ମୋଦି ହିଁ ଏହାର ପରିସମାପ୍ତି କଲେ। ଏପଟେ ରାମ ମନ୍ଦିର ଭୂମି ପୂଜନରେ ଦେଶର ଅଗଣିତ ରାମଭକ୍ତଙ୍କ #ମୁରବୀ ସାଜି ପ୍ରମୁଖ ଯଜମାନ ଭୂମିକା ନିର୍ବାହ କଲେ। ଥରେ ଏ ଚରିତ୍ରଟିକୁ ବୁଝିବାକୁ ଚେଷ୍ଟା କରନ୍ତୁ। ସମ୍ପୂର୍ଣ୍ଣ ଭାରତର ଜନମାନସକୁ ଅତି ସୂକ୍ଷ୍ମତି ସୂକ୍ଷ୍ମ ଭାବେ ଯେପରି ସେ ବୁଝିପାରିଛନ୍ତି, ତାହା ଅନ୍ୟଙ୍କ ପାଇଁ ଅସମ୍ଭବ ବୋଧେ। ଆର୍ଟିକିଲ ୩୭୦ ଉଚ୍ଛେଦ ହେଉ କି, ଚୀନ, ପାକିସ୍ତାନକୁ ତାରି ଭାଷାରେ ଜବାବ, କେବଳ ମୋଦିଙ୍କ ପରି ଦୃଢ଼ ସଂକଳ୍ପବାନ ବ୍ୟକ୍ତିତ୍ୱ ଦ୍ୱାରା ହିଁ ଏହା ସମ୍ଭବ। ଏକଥା ଆଜି ଅଧିକାଂଶ ଦେଶବାସୀଙ୍କ ମତବ୍ୟକ୍ତ କରୁଛନ୍ତି। ଚନ୍ଦ୍ରାୟନ ମିଶନ ବିଫଳ ହେବା ପରେ ସେ ଯେପରି ଶ୍ରୀହରିକୋଟା ସ୍ପେସ ସେଣ୍ଟରରେ ଜଣେ #ଅଭିଭାବକର ଭୂମିକା ଗ୍ରହଣ କଲେ, ତାହା ଅକଳ୍ପନୀୟ ଥିଲା। ଖାଲି ଦେଶର ଅଭିଭାବକ ନୁହେଁ, ବରଂ ସମୁଚିତ ବିଶ୍ୱରେ ନରେନ୍ଦ୍ର ମୋଦି ବର୍ତ୍ତମାନ ଜଣେ ଅଗ୍ରଗଣ୍ୟ ନେତା। ଅନେକ ପ୍ରଚଣ୍ଡ କ୍ଷମତାଶାଳୀ ନେତାଙ୍କ ସହ ତାଙ୍କ ବ୍ୟକ୍ତିଗତ #କେମିଷ୍ଟ୍ରି ଅନେକଙ୍କୁ ଆଚମ୍ଭିତ କରେ। ଏହା କଣ ବ୍ୟକ୍ତିତ୍ୱର #ପରାକାଷ୍ଠା ନୁହେଁ କି?

Prime Minister Narendra Modi says J&K internal matter, Donald Trump agrees

ହଁ, ମୋଦିଙ୍କ ନେତୃତ୍ୱରେ ଏ ସମ୍ପୂର୍ଣ୍ଣ ରାଷ୍ଟ୍ର ଏକ ନୂଆ ଉଚ୍ଚତାକୁ ଛୁଇଁଛି ସତ; ମାତ୍ର କିଛି କ୍ଷେତ୍ରରେ ସେ ଯେ ବିଫଳ ହୋଇଛନ୍ତି, ତାହା ମଧ୍ୟ ସ୍ବୀକାର୍ଯ୍ୟ। ବିଶେଷକରି ଦୁର୍ବଳ ଅର୍ଥନୀତି, କେତେକ ନୀତିଗତ ନିଷ୍ପତ୍ତି, ବେରୋଜଗାରୀ, ପଡ଼ୋଶୀଙ୍କ ସହ ସମ୍ପର୍କକୁ ନେଇ ଆଜି ସେ କାଠଗଡ଼ାରେ ଦଣ୍ଡାୟମାନ। ଆଗାମୀ ଦିନରେ ଏସବୁ ପରିସ୍ଥିତିରୁ ଭାରତ ବାହାରକୁ ଆସିବ ବୋଲି ଜଣେ ନାଗରିକ ଭାବେ ମୋର ଆଶା ଓ ବିଶ୍ୱାସ। ଏଥିପାଇଁ ଆପଣଙ୍କୁ ଅଧିକ କଠୋର ହେବାକୁ ପଡ଼ିବା ସହ କିଛିମାତ୍ରାରେ ରାଜନୀତି ଏବଂ #ଦଳୀୟ ସ୍ୱାର୍ଥରୁ ଉପରକୁ ଉଠିବାକୁ ପଡ଼ିବ। ଆପଣ ‘ମନ କି ବାତ’ କାର୍ଯ୍ୟକ୍ରମରେ ନିଜ ମନକଥା ସବୁବେଳେ ଅନ୍ୟକୁ କହନ୍ତି, ସମାନ ଭାବେ ସବୁବେଳେ ଅନ୍ୟର ମନକଥାକୁ #ହୃଦୟଙ୍ଗମ କରିବେ ବୋଲି ବିଶ୍ୱାସ।

70 ବର୍ଷ ବୟସରେ ପଦାର୍ପଣ ଅବସରରେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମା #ଭାରତୀର ସେବା ତଥା ସମ୍ମାନ ବୃଦ୍ଧି ପାଇଁ ଆପଣ ସଦୈବ ଜାଗ୍ରତ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ଆପଣଙ୍କ ନେତୃତ୍ୱରେ ଏ ରାଷ୍ଟ୍ରର ଯଶ ଆହୁରି ବୃଦ୍ଧି ପାଉ, ରାଷ୍ଟ୍ର ବିକାଶ ଏବଂ ପ୍ରଗତି କ୍ଷେତ୍ରରେ ନୂଆ ନୂଆ କାହାଣୀ ଲେଖୁ, ଏତିକି କାମନା।