ନୂଆବର୍ଷରୁ ଦେଶରେ କରୋନା ଟୀକା: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୧ ଆରମ୍ଭ ଅର୍ଥାତ ନୂଆବର୍ଷରୁ ଭାରତରେ ଉପଲବ୍ଧ ହେବ କରୋନା ଟୀକା। ଏନେଇ ଆଜି ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।

କରୋନା ମହାମାରୀ ଦେଶରେ ମାଡି ମାଡି ଚାଲିଥିବା ବେଳେ ନୂଆବର୍ଷ ୨୦୨୧ ଆରମ୍ଭରେ ଭାରତକୁ ମିଳିବାକୁ ଯାଉଛି କରୋନା ଟୀକା । ଏନେଇ ରାଜ୍ୟସଭାରେ ହର୍ଷ ବର୍ଦ୍ଧନ କହିଛନ୍ତି, ଅନ୍ୟ ଦେଶମାନଙ୍କ ପରି କରୋନା ଟୀକା ଲାଗି ଭାରତ ମଧ୍ୟ ଚେଷ୍ଟା କରୁଛି। ତିନୋଟି ଟିକା ଭିନ୍ନ ଭିନ୍ନ ସ୍ତରରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଏକ ସ୍ୱତନ୍ତ୍ର ଟିମ୍ ଏହାର ଅଧ୍ୟୟନ କରୁଛି । ଟିକା ନିମନ୍ତେ ଅଗ୍ରଣୀ ଯୋଜନା ମଧ୍ୟ ରହିଛି। ଆମେ ଆଶାବାଦୀ ଯେ, ଆସନ୍ତାବର୍ଷ ଆରମ୍ଭ ବେଳକୁ ଭାରତରେ ଟିକା ଉପଲବ୍ଧ ହେବ।

ଏଠାରେ ଉଲ୍ଲେଖଥାଉ କି, ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍ ଇଣ୍ଡିଆ’ (ଡିସିଜିଆଇ) ଠାରୁ ସମ୍ମତି ପାଇବା ପରେ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ’ କୋଭିଡ୍-୧୯ ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପୁନରାରମ୍ଭ ନିମନ୍ତେ ପ୍ରସ୍ତୁତି କରୁଛି।

ସେହିପରି ‘ରଷିଆନ୍ ଡାଇରେକ୍ଟ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଫଣ୍ଡ୍‌ (ଆର୍‌ଡିଆଇଏଫ୍) ଏବଂ ‘ଡକ୍ଟର୍‌ ରେଡ୍ଡୀସ୍‌ ଲ୍ୟାବ୍ରଟୋରି ଲିମିଟେଡ୍‌’ ମଧ୍ୟ ଭାରତରେ ‘ସ୍ପୁଟ୍‌ନିକ୍-୫’ ଟିକାର ନୈଦାନିକ ପରୀକ୍ଷା ଓ ବଣ୍ଟନ ନିମନ୍ତେ ରାଜି ହୋଇଛନ୍ତି।