ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବୌଦ୍ଧ ବ୍ଲକ ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ : ବୌଦ୍ଧ ବ୍ଲକ ସ୍ତରୀୟ ଅଗଷ୍ଟ ମାସର ଦ୍ଵିତୀୟ ଶିକ୍ଷା ସମୀକ୍ଷା ବୈଠକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଉପେନ୍ଦ୍ର କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର ସି ସି ଶ୍ରୀ କମଳକାନ୍ତ ଦଳବେହେରା ଓ ଭାରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱରାଜ କହଁର ମଞ୍ଚାସିନ ଥିଲେ । ସଦ୍ୟ କାର୍ଯ୍ୟ ସମାପ୍ତ କରିଥିବା ନଅ ଜଣ ସି ଆର ସି ସି ଙ୍କୁ ଫୁଲ ତୋଡ଼ା ଦେଇ ବିଦାୟ ସମ୍ବର୍ଦ୍ଧନା ଦେଇଥିବା ବେଳେ ନବାଗତ ନଅ ଜଣ ସି ଆର ସି ସି ଙ୍କୁ ସ୍ୱାଗତ କରାଯାଇଥିଲା ।

କାର୍ଯ୍ୟ ସମାପ୍ତ କରିଥିବା ସି ଆର ସି ସି ଚୌଧୁରୀ ସେଠୀ, ପୂର୍ଣ୍ଣଚନ୍ଦ୍ର କରଡ଼ିଆ, ଲବକିଶୋର ପ୍ରଧାନ, ଅନାଦି ଚରଣ ବେହେରା, ସନ୍ତୋଷ କୁମାର କର୍ଣ୍ଣ, ଶେଷଦେବ ପ୍ରଧାନ, ରାଜକୁମାର ପ୍ରଧାନ,ଅରବିନ୍ଦ ମହାଲିକ ଓ ଯୋଗେନ୍ଦ୍ର ଭୋଇ ପ୍ରମୁଖ ନିଜ ନିଜର ଅନୁଭୂତି କହିଥିଲେ। ସି ଆର ସି ସି,ଶିକ୍ଷା ବିଭାଗର ଏକ ପ୍ରମୁଖ ପଦବୀ, କ୍ଲଷ୍ଟରର ସମସ୍ତ ଶିକ୍ଷକ ପ୍ରଧାନ ଶିକ୍ଷକ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ ଉତ୍ତମ ସମ୍ପର୍କ ରଖି ସମସ୍ତ ବିଭାଗୀୟ ତଥ୍ୟ ଜଣାଇବା ଓ ଆବଶ୍ୟକ ତଥ୍ୟ ସଂଗ୍ରହ କରି ଅଫିସ କୁ ନିର୍ଦ୍ଧାରିତ ସମୟରେ ପ୍ରେରଣ କରିବା ସହିତ ବିଦ୍ୟାଳୟ ମାନଙ୍କରେ ଶୈକ୍ଷିକ ସହାୟତା ଦେବାକୁ ମତ ରଖିଥିଲେ ।

ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ,ଶିକ୍ଷକ ମାନେ ବିଦ୍ୟାଳୟ ସମୟରେ କେହି ଅଫିସକୁ ନ ଆସି ବିଦ୍ୟାଳୟରେ ନିଜ ନିଜର ଶିକ୍ଷାଦାନ କରିବେ, ଆବଶ୍ୟକ କାର୍ଯ୍ୟ ଥିଲେ 4ଟା ପରେ ଅଫିସକୁ ଆସି ବୁଝି ପାରିବେ ବୋଲି ସୂଚନା ଦେବା ସହିତ ଅନୁଦାନ ଖର୍ଚ୍ଚ ଓ ବିଭାଗୀୟ ବିଷୟ ଗୁଡିକର ସମୀକ୍ଷା କରିଥିଲେ । ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦଳବେହେରା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ପୋଷାକ ବଣ୍ଟନ,ପୁସ୍ତକ ବଣ୍ଟନ ଆଦି ବିଷୟରେ ଆଲୋଚନା କରିଥିବା ବେଳେ ଶ୍ରୀ କହଁର ବିଦ୍ୟାଳୟ ମଧ୍ୟାହ୍ନଭୋଜନ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ ଇନଷ୍ପାୟାର ଆୱାର୍ଡ ଓ ଏନ ଏମ ଏମ ଏସ ଆବେଦନର ଶେଷ ତାରିଖ ଆସନ୍ତା 30 ତାରିଖ ବୋଲି ସୂଚନା ଦେଇଥିଲେ । ଅଁଳାପାଲି ସି ଆର ସି ସି ଶରତ ପ୍ରଧାନ ଧନ୍ୟବାଦ ଦେଇଥିଲେ । ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ।