ଏପରି ଫଳ, ପନିପରିବା, ଖାଦ୍ୟ ଖାଆନ୍ତୁ ଯାହା ବିଳମ୍ବରେ ପାଚନ ହେବ । ବ୍ଲଡ୍ ସୁଗାର ମାତ୍ରା କମ୍ ରହିବ । ଶରୀର ସବୁଦିଗରୁ ଫିଟ୍ ରହିବ । ଡାଇବେଟିସ୍ ପାଖ ମାଡ଼ିବନି । ଆମେ ଦେଖୁଛୁ, କିଛି ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ରାସ୍ତାକୁ ଓହ୍ଲାଇବା ମାତ୍ରେ ଗୁପ୍ଚୁପ୍, ଚାଟ୍, ଫାଷ୍ଟ୍ ଫୁଡ୍, ମସଲା ଦୋସା, ଦହିବରା, ଇଡ଼ିଲି, ତେଲଛଣା ଜିନିଷ ଚରିଯାନ୍ତି । ଖାଦ୍ୟ ଶୃଙ୍ଖଳ ଭିତରେ ରହିବାକୁ ପସନ୍ଦ କରନ୍ତିନି । ଯୁବକ ଯୁବତୀମାନେ ବେଳ ଥାଉ ଥାଉ ସତର୍କତା ଅବଲମ୍ବନ କରନ୍ତୁ ।
ଶରୀର ଅଛି ମାନେ ରୋଗ ସଂକ୍ରମଣ ମାମୁଲି । ଋତୁ ବଦଳିବା ସହିତ ଶରୀର ଖାପ ଖୁଆଇ ନପାରିଲେ, ଜଣେ ବେମାରରେ ପଡ଼ିଯାନ୍ତି । ମାତ୍ର ଖାଦ୍ୟ ଶୃଙ୍ଖଳ ନମାନିଲେ, ବହୁ ମାରାତ୍ମକ ରୋଗ ଆମକୁ ମାଡ଼ିବସିବ । ଖାଦ୍ୟରେ ଗ୍ଲାଇସୋମିକ୍ ଇଣ୍ଡେକ୍ସ (ଜିଆଇ) ମାତ୍ରା ଆମକୁ ଡାଇବେଟିସ୍ ଆଡ଼କୁ ଟାଣିନିଏ, ବିଶେଷ କରି ଜଲଦି ହଜମ ହୋଇଯାଉଥିବା ଖାଦ୍ୟପଦାର୍ଥ ଓ ଫଳ ଆମ ଶରୀରର ବ୍ଲଡ୍ ସୁଗାର ଲେବଲକୁ ଉଚ୍ଚକୁ ନେଇଯାଏ, ଆମକୁ ଜଲଦି ଭୋକ ହୁଏ । ପ୍ରତି ୨/୩ ଘଂଟାରେ ଖାଇବାକୁ ଇଛାହୁଏ । ପରିଣାମ ସ୍ୱରୂପ ଆମକୁ ମଧୁମେହ ବା ଡାଇବେଟିସ୍ ମାଡ଼ିବସେ ।
ଡାଇବେଟିସ୍ ରୋଗଠାରୁ ଦୂରେଇ ରହିବାକୁ ଚାହୁଁଥିବା ଲୋକମାନେ କଦଳୀ, କମଳା, ଅଙ୍ଗୁର, କିସମିସ୍, ଖଜୁରୀ, ନାସ୍ପାତି ଖାଆନ୍ତୁ ନାହିଁ । ଆପଣମାନେ ଜାମୁକୋଳି, ସେଓ, କଂଟେଇ କୋଳି ଖାଇପାରିବେ । କମ୍ ଜିଆଇ ବିଶିଷ୍ଟ ଖାଦ୍ୟ ଖାଇବା ଫଳରେ ସେଗୁଡ଼ିକ ବିଳମ୍ବିତ ପ୍ରକ୍ରିୟା ଦେଇ ହଜମ ହେବ; ଡାଇବେଟିସ୍ ରୋଗ ଆକ୍ରମଣ କରିବ ନାହିଁ । ୩୦ ବର୍ଷ ଟପିବା ମାତ୍ରେ ଖାଦ୍ୟ ନିୟନ୍ତ୍ରଣ ପ୍ରତି ଧ୍ୟାନ ଦିଅନ୍ତୁ । ତା’ ନହେଲେ ଆପଣ ଅଜାଣତରେ ଡାଇବେଟିସ୍କୁ ଆମନ୍ତ୍ରଣ କରିବେ । ୫୦ ବର୍ଷ ଟପିଯିବା ପରେ ଡାଇବେଟିସ୍ରେ ଆକ୍ରାନ୍ତ ହେବେ ।
ଡାଇବେଟିସ୍ କବଳରୁ ମୁକ୍ତି ପାଇଁ ଏ ଯାଏ କୌଣସି ମେଡିସିନ୍ ବାହାରି ନାହିଁ । ଖାଦ୍ୟ ସନ୍ତୁଳନ ଏକମାତ୍ର ଉପାୟ ଯାହା ଡାଇବେଟିସ୍କୁ ‘ଗୁଡ୍ ବାଏ’ କରିପାରିବ । ବୟସ ବଢ଼ିବା ସହିତ ମିଠାଯୁକ୍ତ ଖାଦ୍ୟ, ମୃଦୁ ପାନୀୟ, ଧଳା ଭାତ, ଧଳା ପାଉଁରୁଟି ଓ ଆଳୁ କମ୍ ପରିମାଣର ଖାଆନ୍ତୁ ।