‘ଆତ୍ମହତ୍ୟା’ର ଏକମାତ୍ର କାରଣ ‘ଦୁର୍ବଳ ମାନସିକତା’

‘ମନ’ ପାଠ ବଡ଼ ଗହନ । ତା’କୁ ପଢ଼ିବା ଓ ବୁଝିବା ଆମ…

‘ମନ’ ପାଠ ବଡ଼ ଗହନ । ତା’କୁ ପଢ଼ିବା ଓ ବୁଝିବା ଆମ ସାଧ୍ୟାତୀତ । କ’ଣ ପାଇଁ ଜଣେ ଆତ୍ମହତ୍ୟା କରନ୍ତି? ମରିବାକୁ କେହି ଭଲ ପାଆନ୍ତିନି । ତେଣୁ ଆତ୍ମହତ୍ୟା ଭଳି ବାଟ ବାଛିବା ସୁସ୍ଥ ମସ୍ତିଷ୍କର ପ୍ରମାଣ ନୁହେଁ । ମାନସିକ ସ୍ତରରେ ଶକ୍ତ ଝଟ୍‌କା ଖାଇଥିବା ପୁରୁଷ, ମହିଳା, ଯୁବକ, ଯୁବତୀ ହିଁ ଆତ୍ମହତ୍ୟା କରିଥାନ୍ତି । କିଛି ଲୋକ ଆତ୍ମହତ୍ୟା ପୂର୍ବରୁ ବହୁତ ଭାବିଥାନ୍ତି ତ କିଛି ଚଟାପଟ୍‌ ନିଷ୍ପତି ନେଇ ବେକରେ ଦଉଡ଼ି ଗୁଡ଼ାଇ ଝୁଲିପଡ଼ିବା ପରେ ବଂଚିବାର ଉଦ୍ୟମ କରି ଫେଲ୍‌ ହୋଇଯାନ୍ତି । ଛଟପଟ ହୋଇ ମରନ୍ତି । ମନସ୍ତତ୍ୱବିତ୍‌ଙ୍କ ମତରେ ଦାରୁଣ ମାନସିକ ଆଘାତ ପାଇବା ପରେ ଜଣକ ପାଇଁ ବଂଚିବା ଅକାରଣ ହୋଇଯାଏ; ଏପରି ସମୟରେ ସେଭଳି ଲୋକଙ୍କୁ ଏକୁଟିଆ ଛାଡ଼ିଦେବା ଅନୁଚିତ । ସାମାନ୍ୟ ସୁଯୋଗ ପାଇଲେ ଝୁଲିପଡ଼ିବା ସେମାନଙ୍କ ପକ୍ଷେ ଅସମ୍ଭବ ନୁହେଁ ।

ସାମାଜିକ ତାଡ଼ନା, ଶୋଷଣ, ନିର୍ଯାତନା, ଦୁଷ୍କର୍ମ ଭଳି ହୀନ ଆଚରଣର ଶିକାର ପୁରୁଷ ଓ ମହିଳାଙ୍କ ପାଇଁ ଜୀବନଟା ଖାଲି ଯନ୍ତ୍ରଣାମୟ ବୋଧହୁଏ । ଏଭଳି କ୍ଷେତ୍ରରେ ଆତ୍ମହତ୍ୟା କରିବା ଅସମ୍ଭବ ନୁହେଁ । କିଛି ଲୋକ ଦୃଢ଼ ମାନସିକତା ବଳରେ ସାମାଜିକ ତାଡ଼ନାକୁ ସହିସହି ପଥର ପାଲଟିଯାନ୍ତି । ମାତ୍ର ଅଧିକାଂଶ ପୁରୁଷ ଓ ମହିଳା ସମାଜ ଆଗରେ ମୁଣ୍ଡ ଟେକି ବଂଚିବାକୁ ସାହସ ଜୁଟାଇ ପାରନ୍ତିନି ।
ସାମାଜିକ ତାଡ଼ନା ଦେଇଥିବା ଓ ସହିଥିବା ଲୋକଙ୍କ କ୍ଷେତ୍ରରେ ସମାନ ଚିନ୍ତାଧାରା ପ୍ରଯୁଜ୍ୟ । କ୍ଷଣିକ ଉତେଜନାର ବଶବର୍ତୀ ହୋଇ ଜଣେ ଦୁଷ୍କର୍ମ ଭଳି ଅପକର୍ମ କରିବା ପରେ ଅନ୍ୟମାନଙ୍କଠାରୁ ନିନ୍ଦାଗାଳି ଓ ଅପମାନ ପାଇବା ପରେ ନିଜକୁ ଦୋଷୀ ମନେକରି ବଂଚିବାକୁ ନିରର୍ଥକ ମଣିଥାଏ । ସେହିଭଳି ପୀଡ଼ିତା ଜଣକ ମଧ୍ୟ ନିଜକୁ ସମାଜ ଦୃଷ୍ଟିରେ ବୋଝ ମଣି ଆତ୍ମହତ୍ୟା ବାଟ ବାଛିଥାନ୍ତି ।
ଚାକିରି ହରାଇବା ପରେ ଅବା ପ୍ରିୟତମ ଲୋକଠାରୁ ବିଚ୍ଛେଦ କାରଣରୁ କେହିକେହି ଆତ୍ମହତ୍ୟାକୁ ଶ୍ରେୟସ୍କର ମଣିଥାନ୍ତି । ଋଣଚିନ୍ତା, ଗିରଫ ହେବାର ଭୟ, ଧୋକା, ସାମାଜିକ ପ୍ରତିଷ୍ଠା କ୍ଷୁର୍ଣ୍ଣ ଆଶଙ୍କା କରି କିଛି ଲୋକ ଆତ୍ମହତ୍ୟା କରିଥାନ୍ତି । ଜଟିଳ ରୋଗରେ ଆକ୍ରାନ୍ତ ପୁରୁଷ ଓ ମହିଳାଟିଏ ପରିବାର ଲୋକଙ୍କ ଉପରେ ବୋଝ ହେବା ଅପେକ୍ଷା ଆତ୍ମହତ୍ୟାକୁ ଉପଯୁକ୍ତ ମଣିଥାନ୍ତି ।