ଛାତ୍ରଛାତ୍ରୀଙ୍କ ପଢିବା ଅଭ୍ୟାସ ବୃଦ୍ଧି ପାଇଁ ଅଭିନବ ପ୍ରୟାସ

ଜ଼ିଲ୍ଲା ପାଠାଗାରରେ ବକ୍ତୃତା ପ୍ରତିଯୋଗିତା…..

ବୌଦ୍ଧ: ବୌଦ୍ଧଜ଼ିଲ୍ଲାରେ ଜ଼ିଲ୍ଲାପାଳ ଭାବରେ ସତ୍ୟ ରଞ୍ଜନ ସାହୁ ଯୋଗଦେବା ପରେ ଜ଼ିଲ୍ଲାପାଠାଗାର ଉନ୍ନତିକରଣ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଢିବାର ଅଭ୍ୟାସ ବୃଦ୍ଧି ପାଇଁ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ।

ଜ଼ିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ମଧ୍ୟରେ ସମସ୍ତ ଆଧୁନିକ ସୁବିଧା ସହିତ ପାଠାଗାର ଖୋଲାଯାଇ ବୁଦ୍ଧିଜିବୀ ,ବରିଷ୍ଠ ନାଗରିକ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ବିଭିନ୍ନ ପ୍ରକାର ଉପାଦେୟ ପୁସ୍ତିକା, ମାଗାଜିନ ଓ ସମ୍ବାଦପତ୍ର ପଢିବାର ସୁଯୋଗ ସୃଷ୍ଟି କରାଯାଇଛି ।

ପ୍ରତିଦିନ ଶହ ଶହ ସଂଖ୍ୟାରେ ପାଠକ ପାଠିକା,ଛାତ୍ରଛାତ୍ରୀ,ବରିଷ୍ଠ ନାଗରିକ ଓ ବୁଦ୍ଧଜିବୀମାନେ ପାଠାଗାରରେ ପହଞ୍ଚୁଥିବା ବେଳେ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇପଡିଛି । ସରକାରୀ ଛୁଟି ଦିବସ ବ୍ୟତୀତ ସମସ୍ତ କାର୍ଯ୍ୟ ଦିବସରେ ଏହି ପାଠାଗାର ସକାଳ ୧୦ ଘଣ୍ଟା ଠାରୁ ରାତି ୮ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ଜଣାଯାଇଛି ।

ଏହି ପାଠାଗାର ପ୍ରତି ଛାତ୍ରଛାତ୍ରୀମାନଙ୍କ ଆକର୍ଷଣ ବୃଦ୍ଧି କରିବା ପାଇଁ ପ୍ରତ୍ୟେକ ସପ୍ତାହରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ସେମାନଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷିରେ ଶନିବାର ଦିନ ବୌଦ୍ଧ ପଞ୍ଚାୟତ କଲେଜ ସହଯୋଗରେ ପାଠାଗାର ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ଜ଼ିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଦୁଇଟି ବର୍ଗରେ ୧୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କନିଷ୍ଠ ବିଭାଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମନୀଷାରାଣୀ ପୁରୋହିତ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟର ସଂତୃିପ୍ତି ସାହୁ ଦ୍ୱିତିୟ ଓ ଶ୍ରେୟାଂଶି ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ସେହିପରି ବରିଷ୍ଠ ବିଭାଗରେ ବୌଦ୍ଧ ପଞ୍ଚାୟତ କଲେଜର ଏଲ.ରାହୁଲ ରାଓ ପ୍ରଥମ,ବର୍ଷାରାଣୀ ମେହେର ଦ୍ୱିତିୟ ଓ ଅର୍ପିତା ଦେଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକ ତଥା ଅତିଥି ଭାବରେ ବୌଦ୍ଧ ପଞ୍ଚାୟତ କଲେଜର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା,ଅଧ୍ୟାପକ ପ୍ରବୀର କୁମାର ଦାସ,ଅଧ୍ୟାପିକା କଲ୍ୟାଣୀ ଦେବୀ ସୁନାନୀ,ଶୁଭଙ୍କରୀ ବଡମାଳି ଓ ସ୍ଥପତି ସୁମନ ଷଡଙ୍ଗୀ ଯୋଗଦେଇ କୃତୀ ଛାତ୍ରଛାତୀଙ୍କୁ ପୁରସ୍କୃତ କରିଥିଲେ । ଅକ୍ଷୟ କୁମାର ମହାକୁଡ,ଜିତେନ୍ଦ୍ର ମହାନ୍ତି ଓ ବୀର କିଶୋର କର୍ମୀ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ।