ଆଠଟି ଶ୍ରେଣୀକୁ ଜଣେ ଶିକ୍ଷକ, ନବୀନବାବୁ ଜିନ୍ଦାବାଦ

ବ୍ୟକ୍ତିଗତ କାମରେ ଶିକ୍ଷକ ଛୁଟିରେ ରହିଗଲେ, ସେଦିନ ପିଲାଙ୍କ ପାଠପଢ଼ା..

ରାଉରକେଲା: ସୁନ୍ଦରଗଡ଼ ଓ କେନ୍ଦୁଝର ସୀମାନ୍ତ ଗ୍ରାମ କଦମଡିହି । ଉକ୍ତ ଗ୍ରାମରେ ମୋର ଅବସ୍ଥିତି । ମୋର ନାମ କଦମଡିହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କ ପାଇଁ ସରକାର ଦୁଇଟି କକ୍ଷ ତିଆରି କରିଛନ୍ତି । ଆଠଟି ଶ୍ରେଣୀର ପିଲାମାନଙ୍କ ପାଇଁ ସରକାର ଦୁଇଟି କକ୍ଷ ତିଆରି କରି ନ୍ୟାୟ କରିଛନ୍ତି ବୋଲି ମୁଁ ଭାବିପାରୁନି । ଦୁଇଟି କୋଠରୀର ଦୟନୀୟ ସ୍ଥିତି ସଂପର୍କରେ ଅବଗତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଖୁସି । ଆପଣମାନେ ଖୁସି ତ? ବିଦ୍ୟାଳୟ ଛାତରୁ ପଲସ୍ତରା ଖସି ଅନେକ ସମୟରେ ପିଲାଙ୍କୁ ଖଣ୍ଡିଆ ଖାବରା କରିଛି । ମାତ୍ର କାହାର ପ୍ରାଣ ନେଇନି । ଆଠଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇବା ପାଇଁ ମାତ୍ର ଜଣେ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଗାଈଆଳ ହାତରେ ପାଂଚଣ ଧରି ଗୋଠକୁ ଜଗିବା ଭଳି ଜଣେ ଶିକ୍ଷକ ଆଠଟି ଶ୍ରେଣୀର ପିଲାଙ୍କୁ ଖାଲି ଜଗିବା କଥା । ସେହି ଦୃଷ୍ଟିରୁ ଉନ୍ନତ ମାନର ଶିକ୍ଷା ଦିଆଯାଉଛି ବୋଲି କହି ହେବନି । ତଥାପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରି ଖୁସି । ଆପଣମାନେ ଖୁସି ତ?

ବ୍ୟକ୍ତିଗତ କାମରେ ଶିକ୍ଷକ ଛୁଟିରେ ରହିଗଲେ, ସେଦିନ ପିଲାଙ୍କ ପାଠପଢ଼ା ବନ୍ଦ । ବ୍ୟକ୍ତିଗତ ଛୁଟି ଛାଡ଼ନ୍ତୁ, ପିଲାଙ୍କର ମଧ୍ୟାହ୍ନଭୋଜନ ସଉଦା ଓ ବ୍ୟାଙ୍କ କାମରେ ଶିକ୍ଷକ ମହାଶୟ ସପ୍ତାହକୁ ଦିନେ ଦୁଇଦିନ କୋଇଡ଼ା ଚାଲିଯାନ୍ତି । ବ୍ଲକ୍‌ ଅଫିସରେ ଅନୁଷ୍ଠିତ ସରକାରୀ ବୈଠକକୁ ଶିକ୍ଷକ ଯାଆନ୍ତି । ଏମିତି ଦିନଗୁଡ଼ିକରେ ପିଲାଙ୍କ ପାଠପଢ଼ା ଚୁଲିକି ଯାଏ । ତାହା ଜାଣି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଭାରି ଖୁସି । ଆପଣମାନେ ଖୁସି ତ?

ଆଜିକାଲି ପିଲାଙ୍କ ପାଠପଢ଼ା ତୁଳନାରେ ମଧ୍ୟାହ୍ନଭୋଜନର ଗୁରୁତ୍ୱ ବେଶି । ପିଲାମାନେ ପାଠ ନପଢ଼ି ଉପର ଶ୍ରେଣୀକୁ ଚାଲି ଯାଇପାରିବେ । ମାତ୍ର ମଧ୍ୟାହ୍ନଭୋଜନ ସମୟରେ ପିଲାଙ୍କ ଉପସ୍ଥାନ ଶହେକୁ ଶହେ ରହିବା ଜରୁରୀ । ତା’ ନହେଲେ ଶିକ୍ଷକଙ୍କ ଦରମା ବନ୍ଦ ହୋଇଯିବାର ଆଶଙ୍କା ।

ଅଷ୍ଟମ ପାସ୍‌ ପରେ ଛାତ୍ରୀଙ୍କ ପାଠରେ ଡୋରି ବନ୍ଧା ହୁଏ । ଛାତ୍ରମାନେ ୭ କିମି ଦୂର ପାଟମୁଣ୍ଡାକୁ ଯାଇ ପାଠ ପଢ଼ନ୍ତି । ସେ ଗ୍ରାମକୁ ପଡ଼ିଥିବା ରାସ୍ତାରେ ସାଇକେଲ ଗଡ଼ିବା କଷ୍ଟକର । କେବେ କେବେ ହାତୀ, ସାପ ଭଳି ଜୀବଜନ୍ତୁ ବାହାରନ୍ତି । ପାଠ ପ୍ରତି ଆଗ୍ରହୀ ପିଲାମାନେ ସେମାନଙ୍କ ବନ୍ଧୁବାନ୍ଧବଙ୍କ ଘରକୁ ଯାଇ ପାଠ ପଢ଼ନ୍ତି । ଏ ଅଂଚଳରେ ସରକାରଙ୍କ କୋଠପୁଅ ଡିଏମ୍‌ଏଫ୍‌ ପତିଆରା କାହିଁରେ କ’ଣ? ଡିଏମ୍‌ଏଫ୍‌ ଟଙ୍କାରେ କିଣା ଯାଉଥିବା ବସଗୁଡ଼ିକରେ ରାଉରକେଲା ଓ ସୁନ୍ଦରଗଡ଼ ସହର ସମେତ ଅନ୍ୟାନ୍ୟ ଅଂଚଳର ପିଲାମାନେ ଚଳପ୍ରଚଳ କରୁଛନ୍ତି । ମାତ୍ର କଦମଡିହି ଭାଗ୍ୟରେ ବସଟିଏ ଜୁଟିନି ।