ବିଶୁଦ୍ଧ ପାନୀୟ ଜଳ ସାତ ସପନ, ଆପଣମାନେ ଖୁସି ତ!

ନବୀନବାବୁଙ୍କ କୋପଦୃଷ୍ଟିରେ କଦମଡିହି ବାସିନ୍ଦା..

ସୁନ୍ଦରଗଡ଼: ଖଣି ଅଂଚଳର ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସାତସପନ । ଦଦରା ସ୍ୱାସ୍ଥ୍ୟସେବା ଓ ମାଙ୍ଗାନିଜ ମିଶା ପାଣି ପିଉଥିବା କଦମଡିହି ବାସିନ୍ଦା ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇବା ପରଠାରୁ ଉକ୍ତ ଗ୍ରାମଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବକ୍ରଦୃଷ୍ଟିର ଶିକାର ହୋଇଛି । ଶନିଙ୍କ ଦୃଷ୍ଟିରୁ ଖସିଯିବାର ବାଟ ପଣ୍ଡିତ ଗୋସେଇଁଙ୍କୁ ଜଣା; ମାତ୍ର ନବୀନବାବୁଙ୍କ ବାଙ୍କ ଚାହାଣୀରୁ ଖସିବା ମୁସ୍କିଲ ।

ସୁନ୍ଦରଗଡ଼ ଉପାନ୍ତ କଦମଡିହି ଓ ତା’ର ଆଖପାଖର ଲୋକମାନେ ପାନୀୟ ଜଳ ପାଇଁ ଡହଳ ବିକଳ । ଗୋଟିଏ ଗ୍ରାମର ୧୫୦୦ ଲୋକଙ୍କ ପାଇଁ ତିନୋଟି ନଳକୂଅ ରହିଛି । କିନ୍ତୁ ନଳକୂଅର ମାଟି ଓ ମାଙ୍ଗାନିଜ ମିଶା ପାଣି ତୁଳନାରେ ନିକଟସ୍ଥ ନାଳପାଣି ଅଧିକ ପାନୀୟ ଉପଯୋଗୀ । କଦମଡିହି ଅଂଚଳର ସର୍ବେସର୍ବା ଡିଏମ୍‌ଏଫ୍‌ ପକ୍ଷରୁ ଓଭରହେଡ୍‌ ପାଣି ଟାଙ୍କି କରାଯାଇଛି । ଏବେ ତାହା ଅଚଳ ପ୍ରାୟ । ୭୦ ବର୍ଷର ବୃଦ୍ଧାଙ୍କଠାରୁ ଆରମ୍ଭ କରି ୭ ବର୍ଷର ପିଲା ମୁଣ୍ଡରେ ପାଣି ଗରା ଧରି ବାଟ ଚାଲୁଥିବାର ଦୃଶ୍ୟ ଯିଏ ଦେଖିଛନ୍ତି, ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗୁଣଗାନ କରୁଛନ୍ତି ।

ସେହିପରି, ଏବେ ହକି ବିଶ୍ୱକପ୍‌ ପାଇଁ କୋଇଡା ବ୍ଲକ ଲୋକଙ୍କ କାମରେ ଲାଗୁଥିବା ପାଣି ଟ୍ୟାଙ୍କର, ମଶାଧୂଆଁ ମେସିନ୍‌, ଅଳିଆ ବୁହା ଗାଡ଼ି, ଓ ପାଇଖାନା ସଫା ଯାନବାହନଗୁଡ଼ିକ ରାଉରକେଲା ଯାଇଛନ୍ତି ହକି ବିଶ୍ୱକପ୍‌ ଦେଖିବାକୁ । ରାଉରକେଲାର ରାସ୍ତାଘାଟ ଚିକମିକ କରିବା କାମରେ ପାଣି ଟ୍ୟାଙ୍କର ବ୍ୟସ୍ତ ଅଛି । ସଡ଼କ ଡିଭାଇଡରରେ ଲାଗିଥିବା ଫୁଲ ଓ ଦାମୀ ଗଛକୁ ସବୁଜିମା କରିବା ପାଇଁ ମେସିନ୍‌ଗୁଡ଼ିକୁ ଲଗାଯାଇଛି । କଦମଡିହି ଲୋକଙ୍କ ଦୁର୍ଦ୍ଦଶା ତୁଳନାରେ ମୁଖ୍ୟମନ୍ତ୍ରୀଙ୍କ ହକି ଆୟୋଜନର ଗୁରୁତ୍ୱ ଯଥେଷ୍ଟ ଅଧିକ ।

କଦମଡିହିରେ ଡାକ୍ତରଙ୍କ ପାଦ ପଡ଼ିନି । ଗ୍ରାମରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ । ଖୁବ କମ୍‌ ଲୋକଙ୍କ ପାଖରେ ମୋବାଇଲ ଅଛି । ଠିକଣା ସମୟରେ ଆମ୍ବୁଲାନ୍ସକୁ ଡାକିବା ସମ୍ଭବ ହୁଏନା । କଦବା କ୍ୱଚିତ୍‌ ଆମ୍ବୁଲାନ୍ସକୁ ଡାକିଲେ, ଆମ୍ବୁଲାନ୍ସଟି ଗ୍ରାମରେ ପହଂଚି ପାରେନି । ଆବୁଡ଼ା ଖାବୁଡ଼ା ରାସ୍ତାରେ ଗଡ଼ିବା ପରେ ସରସ ସୁନ୍ଦର ଆମ୍ବୁଲାନ୍ସଟି ଯନ୍ତ୍ରଣାରେ ଜର୍ଜରିତ ରୋଗୀ ପାଲଟିଯାଏ । ବହୁ ଅନୁରୋଧ କରିବାରୁ ଗୋଟିଏ ଖଣି କମ୍ପାନୀ ଦିନକ ପାଇଁ ମୋବାଇଲ ଚିକିତ୍ସା ଗାଡ଼ିଟିଏ ପଠାଇ ଗ୍ରାମଟିକୁ ପବିତ୍ର କରି ଦେଇଛି । ତା’ ପରଠାରୁ ଗ୍ରାମବାସୀଙ୍କୁ ଆଉ ସ୍ୱାସ୍ଥ୍ୟସେବାର ଆବଶ୍ୟକତା ପଡ଼ିନି । ଜୟ ହୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।