୨୦୨୩ର ପ୍ରଥମ ଦିନିକିଆ ଜିତିଲା ଭାରତ

ଶ୍ରୀଲଙ୍କାକୁ ୬୭ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ….

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଦମଦାର ଶତକ (୮୭ଟି ବଲରୁ ୧୧୩) ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ୬୭ ରନ୍‌ ବ୍ୟବଧାନରେ ପରାସ୍ତ କରିଛି । ସୂଚନା ମୁତାବକ ତିନିଟି ଦିନିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ବିଜୟ ଅଭିଯାନ ଆରମ୍ଭ କରିଛି । ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ ତାରିଖରେ କୋଲକାତାର ଇଡେନ୍‌ ଗାର୍ଡେନରେ ଅନୁଷ୍ଠିତ ହେବ । ଆଜି ଗୁଆହାଟୀର ବରସାପାରା ଷ୍ଟାଡିୟମରେ ଟସ୍‌ ହାରି ଭାରତ ବ୍ୟାଟିଂ ଆରମ୍ଭ କରିଥିଲା ।

ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ଭାରତ ୩୭୩ ରନ୍‌ ସଂଗ୍ରହ କରିଥିଲା । ବିରାଟ କୋହଲି ବ୍ୟକ୍ତିଗତ ଭାବେ ୪୫ତମ ଦିନିକିଆ ଶତକ ହାସଲ କରିଥିଲେ । ଦୀର୍ଘ ଚାରିବର୍ଷ ପରେ ଘରୋଇ ମଇଦାନରେ ବିରାଟଙ୍କ ବ୍ୟାଟ୍‌ରୁ ଶତକ ବର୍ଷା ପ୍ରଶଂସକଙ୍କ ମନରେ ଅପାର ଆନନ୍ଦ ଭରି ଦେଇଥିଲା । ଅଧିନାୟକ ରୋହିତ ଶର୍ମା (୮୩ ରନ୍‌) ୪୭ତମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିଲେ । ଶୁଭମନ ଗିଲ (୭୦ ରନ୍‌) ଦିନିକିଆ କ୍ରିକେଟରେ ପଂଚମ ଅର୍ଦ୍ଧଶତକ ହାସଲ କରିଥିଲେ । କ୍ରିକେଟିୟର କେଏଲ୍‌ ରାହୁଲ ଓ ଶ୍ରେୟସ ଆୟାର ଯଥାକ୍ରମେ ୩୯ ଓ ୨୮ ରନ୍‌ ଯୋଗଦାନ କରିଥିଲେ ।

ଶ୍ରୀଲଙ୍କା ବୋଲର କସୁନ ରଜିଥା ତିନୋଟି ୱିକେଟ୍‌ ଦଖଲ କରିଥିଲେ । ଧନଞ୍ଜୟ ଡି’ ସିଲ୍‌ଭା, ଦସୁନ ଶନାକା, ଦିଲସାନ୍‌ ମଦୁଶଙ୍କା ଓ ଚମିକା କରୁଣାରତ୍ନେ ଗୋଟିଏ ଲେଖାଁଏ ୱିକେଟ୍‌ ଦଖଲ କରିଥିଲେ । ପାଲଟା ଜବାବରେ ଶ୍ରୀଲଙ୍କା ଟିମ୍‌ ୫୦ ଓଭରରେ ୮ ୱିକେଟ୍‌ ହରାଇ ୩୦୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା ।

ଅଧିନାୟକ ଦସୁନ ଶନାକା (୧୦୮) ଦ୍ୱିତୀୟ ଦିନିକିଆ ଶତକ ଲାଭ କରିଥିଲେ । ଓପନର ପଥୁମ ନିଶଙ୍କା (୭୨) ଅର୍ଦ୍ଧଶତକ କରିଥିଲେ । ଧନଞ୍ଜୟ ଡି’ ସିଲଭା ୪୭ ରନ୍‌ କରି ଆଉଟ୍‌ ହେଲେ । ଟିମ୍‌ ଇଣ୍ଡିଆ ବୋଲର ଉମରାନ ମାଲିକ ସର୍ବାଧିକ ତିନୋଟି ୱିକେଟ୍‌ ହାସଲ କରିଥିଲେ ।