ଜୋଷୀମଠକୁ ଶନିଦଶା: ରକ୍ଷା କରନ୍ତୁ ନମୋ ସରକାର

ବାସହରା ପରିବାର ଦାବି କଲେ କ୍ଷତିପୂରଣ…

ଡେରାଡୁନ: ରସାତଳକୁ ଚାଲିଯିବ ଜୋଷୀମଠ । ୟେ ବିଷୟ ଉତରାଖଣ୍ଡର ଗଡ଼ୱାଲ ପାର୍ବତ୍ୟ ଇଲାକାର । ୨୦୦୯ ଡିସେମ୍ବର ୨୪ ତାରିଖ, ଅଚାନକ ଫସିଗଲା ବଡ଼ବଡ଼ ସହରାଂଚଳର ମାଟିତଳେ ମେଟ୍ରୋ ଟ୍ରେନ୍‌ ପାଇଁ ଚୁପ୍‌ଚାପ୍‌ ସୁଡଙ୍ଗ କରୁଥିବା ଏକ ବୃହଦାକାର ଟନେଲ ବୋରିଂ ମେସିନ୍‌ । ଘଟଣା କ’ଣ ବୁଝିଲା ବେଳକୁ ଖୋଳା ଯାଉଥିବା ପାହାଡ଼ର ଅଭ୍ୟନ୍ତର ପ୍ରଦେଶରୁ ହଜାର ହଜାର ଲିଟର ପରିଷ୍କାର ପାଣି ବହିବାକୁ ଲାଗିଲା ।

ପାଣି ଅଟକାଇବା ଦକ୍ଷ ଇଞ୍ଜିନିୟରଙ୍କ ପକ୍ଷେ ସମ୍ଭବ ହେଲାନି । ମାସମାସ ଧରି ପାଣି ବହିବାକୁ ଲାଗିଲା । ଟନେଲ ଖୋଳା କାମ ସେଇଠି ଅଟକିଲା । ବାସ୍ତବରେ କ’ଣ ହୋଇଥିଲା? ମଣିଷ ତିଆରି କରିଥିବା ମେସିନ୍‌ ସୁଡ଼ଙ୍ଗ କରୁକରୁ ପ୍ରକୃତି ତିଆରି କରିଥିବା ବିରାଟ ଜଳଭଣ୍ଡାରଟିର ଗୋଟିଏ ପାଶ୍ୱର୍କୁ ଭେଦ କରିଥିଲା । ଦୈନିକ ୬ରୁ ୭ କୋଟି ଲିଟର ପାଣି ପ୍ରବାହିତ ହେବା କାରଣରୁ ଧୀରେଧୀରେ ଜଳଭଣ୍ଡାର ଖାଲି ହୋଇଗଲା ।

ଜଳଭଣ୍ଡାରଟି ଜୋଷୀମଠର ପାହାଡ଼ିଆ ଇଲାକାରେ ପ୍ରବାହିତ ଅଳକାନନ୍ଦା ନଦୀର ବାମପଟ କୂଳକୁ ଲାଗି ଠିଆ ହୋଇଥିବା ଉଚ୍ଚ ପାହାଡ଼ର ପ୍ରାୟ ୩ କିଲୋମିଟର ଅଭ୍ୟନ୍ତର ପ୍ରଦେଶରେ ରହିଥିଲା । ହିନ୍ଦୁ ଓ ଶିଖମାନଙ୍କର ପବିତ୍ର ତୀର୍ଥ ବଦ୍ରିନାଥ ଓ ହେମକୁଣ୍ଡ ସାହିବଙ୍କ ମୁଖଶାଳା ରୂପେ ପରିଚିତ ଜୋଷୀମଠ ନଗର । ଗତ କିଛିଦିନ ହେଲା ସାରା ଦେଶବାସୀଙ୍କ ନଜର ଜୋଷୀମଠ ଉପରେ । ସହରଟିର ପ୍ରାୟ ୬୦୩ଟି ଘରେ ଚଟାଣ ଓ କାନ୍ଥରେ ବିରାଟ ବିରାଟ ଫାଟ ସୃଷ୍ଟି ହୋଇଛି ।

ବିପଦସଙ୍କୁଳ ଘରଗୁଡ଼ିକ ଭିତରୁ ପ୍ରାୟ ୭୦ଟି ପରିବାରକୁ ସୁରକ୍ଷିତ ଅଂଚଳକୁ ସ୍ଥାନାନ୍ତର କରାଯାଇଛି । ଅବଶିଷ୍ଟ ପରିବାରକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ପଳାଇବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଜୋଷୀମଠ ସ୍ଥିତ ପ୍ରାକୃତିକ ଜଳଭଣ୍ଡାରଟି ଶୁଖିଲା ପଡ଼ିବାରୁ ଆଖପାଖ ଅଂଚଳରେ ପ୍ରବାହିତ ଛୋଟ ଝରଗୁଡ଼ିକ ମଧ୍ୟ ଶୁଖି ଯାଇଛି । ଗବେଷକଙ୍କ ମତରେ ବିନା ପାଣିରେ ଜୋଷୀମଠ ସହରଟିର ମାଟିତଳ ଫାଙ୍କା ହୋଇଯାଇଛି ।

ପରିଣାମ ସ୍ୱରୂପ ଜୋଷୀମଠକୁ ଶନିଦଶା ପଡ଼ିଛି । ପାହାଡ଼ କୋଳରେ ଅବସ୍ଥିତ ଜୋଷୀମଠ ଧସିବା ଆରମ୍ଭ କରିଛି । ସହରକୁ ବଂଚାଇବା ଏବେ ମୁସ୍କିଲ ।ଏତେସବୁ ସଂକଟର ମୂଳ କାରଣ ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ ପରିଚାଳନାଧୀନ ବିଷ୍ଣୁଗଡ଼ ହାଇଡ୍ରୋ ଇଲେକ୍‌ଟ୍ରିକ୍‌ ପ୍ରୋଜେକ୍ଟ । ବିକାଶ ଆଳରେ ପାହାଡ଼ କୋଳରେ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରିବା ଏବେ ଉତରାଖଣ୍ଡ ପାଇଁ ମହାକାଳ ସାଜିଛି ।