ରକ୍ତରେ ଚିତ୍ରାଙ୍କନ ହେଲା ଦଣ୍ଡନୀୟ ଅପରାଧ

ଗୋଟିଏ ଛୁଂଚି ସାହାଯ୍ୟରେ ଏକାଧିକ ଯୁବକଙ୍କ ଶରୀରରୁ ରକ୍ତ ସଂଗ୍ରହ କରାଯାଉଥିଲା….

ଚେନ୍ନାଇ: ଶରୀରରୁ ରକ୍ତ ନିଗାଡ଼ି ସେଥିରେ ଚିତ୍ରପଟ ତିଆରି ଉପରେ କଟକଣା ଜାରି କରିଛନ୍ତି ତାମିଲନାଡୁ ସରକାର । ରାଜ୍ୟରେ ବ୍ଲଡ୍‌ ଆର୍ଟ ଧାରା କ୍ରମେ ବୃଦ୍ଧି ପାଉଛି । ସୁରକ୍ଷାଗତ କାରଣରୁ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିଛି । ଏହି ଟ୍ରେଣ୍ଡ ଆରମ୍ଭ କରିଥିଲେ ୨୦ ବର୍ଷୀୟ ଗଣେଶନ । ଗତବର୍ଷ ଡିସେମ୍ବର ୨୦ ତାରିଖରେ ସେ ତାଙ୍କ ପ୍ରେମିକାଙ୍କର ଜନ୍ମଦିନ ପାଳନ କରିଥିଲେ । ପ୍ରେମିକାଙ୍କୁ ଅଭିନବ ଉପହାର ଦେଇ ପ୍ରେମର ଗଭୀରତାକୁ ଦେଖାଇବା ପାଇଁ ସାଙ୍ଗମାନଙ୍କ ସହ ପରାମର୍ଶ କରୁଥିବା ଭିତରେ କେହି ଜଣେ ବ୍ଲଡ୍‌ ଆର୍ଟ ବିଷୟ କହିଲା ।

ନିଜ ଶରୀରରୁ ରକ୍ତ ବାହାର କରି ସେଥିରେ ପ୍ରିୟ ଲୋକଙ୍କ ଚିତ୍ରଟିଏ ଆଙ୍କିବା ପ୍ରେମର ବାସ୍ତବିକତାକୁ ବୁଝାଇବ ବୋଲି ବନ୍ଧୁଙ୍କ ଉପଦେଶକୁ ଗ୍ରହଣ କଲା ଗଣେଶନ୍‌ । ସେ ଚେନ୍ନାଇର ଗୋଟିଏ ଷ୍ଟୁଡିଓକୁ ଗଲା । ଏ-୪ ସାଇଜର ଚିତ୍ରଟିଏ ତିଆରି କରିବା ପାଇଁ ପ୍ରାୟ ୫ ଲିଟର ରକ୍ତ ଦେଇଥିଲା । ଗଣେଶନଙ୍କ ପଦାଙ୍କ ଅନୁସରଣ କରି ତାମିଲନାଡୁର ଶତାଧିକ ଯୁବକ ନିଜ ଶରୀରରୁ ରକ୍ତ ନିଗାଡ଼ି ଚିତ୍ରପଟ ତିଆରି କରିଥିବା ଜଣାପଡ଼ିଛି ।

ଘଟଣାଟି ସରକାରଙ୍କ ଦୃଷ୍ଟିଗୋଚରକୁ ଆସିବା ପରେ ଭିନ୍ନ ମୋଡ଼ ନେଲା । ୨୦୨୨ ଡିସେମ୍ବର ୨୮ ତାରିଖରେ ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ଏମ୍‌ଏ ସୁବ୍ରମଣ୍ୟମ ଚେନ୍ନାଇରେ ଅଚାନକ ବ୍ଲଡ୍‌ ଆର୍ଟ ତିଆରି କରୁଥିବା ଗୋଟିଏ ଷ୍ଟୁଡିଓରେ ପହଂଚିଲେ । ରକ୍ତରେ ତିଆରି ଗୁଡ଼ିଏ ଚିତ୍ରପଟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ତତ୍‌କ୍ଷଣାତ୍‌ ରକ୍ତରେ ତିଆରି ଚିତ୍ରପଟକୁ ବେଆଇନ ଘୋଷଣା କଲେ । ମନ୍ତ୍ରୀଙ୍କ ଘୋଷଣା ମୁତାବକ ଏଣିକି ରକ୍ତରେ ଚିତ୍ରାଙ୍କନ କରୁଥିବା ବ୍ୟକ୍ତି ଅବା ସଂସ୍ଥା ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବ୍ଲଡ୍‌ ଆର୍ଟ ଦଣ୍ଡନୀୟ ଅପରାଧ । ରକ୍ତଦାନ ପୂଣ୍ୟ କାମ । କିନ୍ତୁ ରକ୍ତରେ ଚିତ୍ରାଙ୍କନକୁ କଦାପି ଗ୍ରହଣଯୋଗ୍ୟ ନୁହେଁ । ପ୍ରେମ ଓ ସ୍ନେହ ଗଭୀରତା ଦେଖାଇବା ପାଇଁ ଅନେକ ଉପାୟ ଅଛି । କିନ୍ତୁ ସେଥିରେ ରକ୍ତରେ ଚିତ୍ରାଙ୍କନକୁ ସାମିଲ କରା ନଯାଉ । ତଦନ୍ତରୁ ଜଣାପଡ଼ିଲା, ଷ୍ଟୁଡିଓର ରକ୍ତ ସଂଗ୍ରହ ପ୍ରକ୍ରିୟା ସରକାରଙ୍କ ପ୍ରୋଟୋକଲକୁ ଅମାନ୍ୟ କରିଥିଲା । ଗୋଟିଏ ଛୁଂଚି ସାହାଯ୍ୟରେ ଏକାଧିକ ଯୁବକଙ୍କ ଶରୀରରୁ ରକ୍ତ ସଂଗ୍ରହ କରାଯାଉଥିଲା ।

ଫଳରେ ରକ୍ତ ସଂକ୍ରମଣଜନିତ ରୋଗ ହେବାର ଆଶଙ୍କା ଥିଲା । ତାମିଲନାଡୁର ଜଣେ ସ୍ୱାସ୍ଥ୍ୟ ଗବେଷକଙ୍କ ମତରେ ତାମିଲନାଡୁରେ ଏ ପ୍ରକାର ଟ୍ରେଣ୍ଡ ତୀବ୍ରଗତିରେ ବୃଦ୍ଧି ପାଉଛି ଯାହା ଉଦବେଗର ବିଷୟ । କୌଣସି ବ୍ୟକ୍ତିଙ୍କ ଶରୀରରୁ ରକ୍ତ ସଂଗ୍ରହ କରିବା ପାଇଁ ଲାବ୍‌୍‌ ଟେକ୍‌ନିସିଆନ୍‌, ଫ୍ଲେବୋଟୋମିଷ୍ଟ, ନର୍ସ ବା ଫିଜିସିଆନଙ୍କୁ ଅନୁମତି ଦିଆଯାଇଛି । ଲୋକମାନେ ଜୀବନକୁ ବିପଦରେ ପକାଇ ଷ୍ଟୁଡିଓରେ ରକ୍ତ ଦେବା ଅପରାଧ ନିଶ୍ଚିତ ।