ଚାରିଥର ମଲାପରେ ସ୍ୱର୍ଗକୁ ଯାଇ ଫେରିିଛନ୍ତି ମହିଳା

ମଣିଷ ମଲାପରେ ଆଉ ଫେରନ୍ତି ନାହିଁ । ମାତ୍ର ଜଣେ ମହିଳା ଦାବି କରନ୍ତି ଯେ ସେ ଚାରି ଚାରିଥର ମଲା ପରେ ବଂଚି ଯାଇଛନ୍ତି । ମଲାପରେ ସ୍ୱର୍ଗକୁ ଯାଇଛନ୍ତି, ସେଠାକାର ସୌନ୍ଦର୍ଯ୍ୟ ଉପଭୋଗ କରି ଫେରିଛନ୍ତି । ସ୍ୱର୍ଗରୁ ଫେରିଥିବା ମହିଳାଙ୍କ ନାମ କବାଲଗୁନି ରୀନା । ଏକ ୟୁଟୁବ ଚାନେଲରେ ରୀନା କହିଛନ୍ତି, ପ୍ରଥମେ ଗୋଟିଏ ଗାଈ ଆକ୍ରମଣରେ ତାଙ୍କର ପ୍ରାଣହାନି ଘଟିଥିଲା । କବର ଦେବା ପାଇଁ ବନ୍ଦୋବସ୍ତ ଚାଲିଥିବା ବେଳେ ସେ ହଠାତ୍‌ ଉଠି ବସିଥିଲେ ।

ଦ୍ୱିତୀୟ ବାର ଗାଧୁଆ ଘରେ ଗୋଡ଼ ଖସିଯିବାରୁ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା । ମାତ୍ର କେତେ ଘଂଟା ପରେ ସେ ପୁଣି ଜିଇଁ ଉଠିଥିଲେ । ତୃତୀୟ ବାର ଗୋଟିଏ କାର ତାଙ୍କ ସମେତ ଆହୁରି କିଛି ଲୋକଙ୍କୁ ଧକ୍କା ମାରିଥିଲା । ଉକ୍ତ ଦୁର୍ଘଟଣାରେ ରୀନାଙ୍କୁ ଛାଡ଼ି ଅନ୍ୟ ସବୁ ଲୋକ ପ୍ରାଣ ହରାଇଥିଲେ । ରୀନାଙ୍କ ଶରୀରରେ ଗଭୀର କ୍ଷତ ହୋଇଥିଲା । ଡାକ୍ତରଖାନାରେ ଚିକିତ୍ସାଧୀନ ସମୟରେ ତାଙ୍କ ଶରୀର କିଛି ମିନିଟ୍‌ ପାଇଁ ନିସ୍ତେଜ ହୋଇଯାଇଥିଲା । ମାତ୍ର ଭଗବାନଙ୍କ କରୁଣାରୁ ସେ ସୁସ୍ଥ ହୋଇଥିଲେ ।

ପ୍ରଥମ ଘଟଣା ସଂପର୍କରେ ରୀନା କହନ୍ତି, ଗାଈଟି ତାଙ୍କୁ ଶିଙ୍ଗରେ ଉଠାଇ ଦୂରକୁ ଫିଙ୍ଗି ଦେଇଥିଲା । ତା’ପରେ ଧାଇଁ ଆସି ତାଙ୍କ ପେଟ ଉପରେ ଚଢ଼ିଗଲା । ଲୋକମାନେ ତାଙ୍କୁ ଉଦ୍ଧାର କରିବା ବଦଳରେ ଗାଈଟିର ଆକ୍ରମଣକୁ ଉପଭୋଗ କରୁଥିଲେ । ୩୦ ବର୍ଷୀୟା ରୀନା ବଡ଼ କଷ୍ଟେମଷ୍ଟେ ଠିଆ ହେବାକୁ ଉଦ୍ୟମ କରୁଥିବା ବେଳେ ଧଡ଼ାସ କରି ପଡ଼ିଗଲେ । ତାଙ୍କର ଶ୍ୱାସକ୍ରିୟା ବନ୍ଦ ହୋଇ ଯାଇଥିଲା । ଶ୍ୱାସକ୍ରିୟା ବନ୍ଦ ହୋଇଯିବା ପରେ ସେ ନିଜକୁ ଏମିତି ଏକ ସୁନ୍ଦର ଦୁନିଆରେ ଆବିଷ୍କାର କଲେ ଯାହା ପୂର୍ବରୁ ଦେଖି ନଥିଲେ । କବରଖାନାରେ ସେ ଉଠି ବସିବାରୁ ଲୋକମାନେ ହଠାତ୍‌ କିଛି ବୁଝି ପାରିଲେନି । ଭୟରେ ପାଟି କରି ଏଣେତେଣେ ଧାଇଁ ପଳାଇଲେ । ଯାହା ହେଉ ପରିବାର ଲୋକେ ତାଙ୍କୁ ଗ୍ରହଣ କରି ନେଇଥିଲେ ।

ରୀନା ଫୁସଫୁସଜନିତ ରୋଗରେ ପଡ଼ିଥିଲେ । ଡାକ୍ତର କହିଲେ, ତୁରନ୍ତ ଅପରେସନ୍‌ କରିନିଅ ନଚେତ୍‌ ତିନିମାସରୁ ଅଧିକ ଦିନ ବଂଚିବ ନାହିଁ । ମାତ୍ର ତିନିମାସ କଟିଯିବା ପରେ ମଧ୍ୟ ସେ ଆଜି ପୁରାପୁରି ଫିଟ୍‌ ଅଛନ୍ତି । ରୀନାଙ୍କ କଥାରେ କେତେଟା ସତ୍ୟ ଅଛି, ସେ ବିଷୟରେ କିଛି ଉଲ୍ଲେଖ କରାଯାଇନି ।