‘ବିପର୍ଯ୍ୟୟ’ ହାଲଚାଲ: ସ୍ଥଳଭାଗ ଛୁଇଁବା ପୂର୍ବରୁ ପ୍ରବଳ ବର୍ଷା

ଗୁଜରାଟ ଓ ମୁମ୍ବାଇ ଉପକୂଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଏବେ ସୁଦ୍ଧା ୭ ଜଣଙ୍କର ପ୍ରାଣହାନି ଘଟିଥିବାର ଖବର ପ୍ରକାଶ ପାଇଛି । ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ଗୁଜରାଟ ମୁହାଁ ହୋଇଛି । ଜୁନ ୧୫ ତାରିଖ ଅପରାହ୍ଣରେ କଚ୍ଛ ଜିଲ୍ଲାର ଜଖୌ ବନ୍ଦର ନିକଟରେ ସ୍ଥଳଭାଗକୁ ସ୍ପର୍ଶ କରିବ ‘ବିପର୍ଯ୍ୟୟ’ । ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ମଙ୍ଗଳବାର ତୋଫାନ ସାମାନ୍ୟ ଦୁର୍ବଳ ହୋଇଛି । ମାତ୍ର ତାହା ଏବେ ମଧ୍ୟ ଭୟଙ୍କର ରୂପ ଧାରଣ କରିବାର କ୍ଷମତା ରଖିଛି । ସ୍ଥଳଭାଗକୁ ସ୍ପର୍ଶ କରିବା ପରେ ପବନର ବେଗ ଘଂଟାକୁ ୧୫୬ କିଲୋମିଟର ହେବାର ଆଶଙ୍କା କରାଯାଉଛି ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବା ପରେ ସାମୁଦ୍ରିକ ତୋଫାନ ‘ବିପର୍ଯ୍ୟୟ’କୁ ମୁକାବିଲା କରିବା ପାଇଁ ୮୦୦୦ କୋଟି ଟଙ୍କାର ତିନୋଟି ପ୍ୟାକେଜ ଘୋଷଣା କରିଛନ୍ତି ।

ଉକ୍ତ ପ୍ୟାକେଜଗୁଡ଼ିକ ଅଗ୍ନିଶମବାହିନୀର ନବୀକରଣ, ବନ୍ୟା ନିୟନ୍ତ୍ରଣ ଓ ଭୂସ୍ଖଳନ ରୋକିବା ସଂପର୍କୀତ । ଇତିମଧ୍ୟରେ ଗୁଜରାଟର କଚ୍ଛ-ସୌରାଷ୍ଟ୍ରରେ ସମୁଦ୍ର ଉପକୂଳ ଅନ୍ତର୍ଗତ ସାତୋଟି ଜିଲ୍ଲାର ୨୧ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି ।
ଗୁଜରାଟରେ ‘ବିପର୍ଯ୍ୟୟ’ ତାଣ୍ଡବ ରଚିବାର ସମ୍ଭାବନା ରହିଛି । କେନ୍ଦ୍ର ପକ୍ଷରୁ ଗୁଜରାଟ ସରକାରଙ୍କୁ ଆଶ୍ୱାସନା ଦିଆଯାଇଛି । ତଟରକ୍ଷୀ ବାହିନୀ, ଅଗ୍ନିଶମ ବାହିନୀ, ବିପର୍ଯ୍ୟୟ ପ୍ରଶମନ ବାହିନୀକୁ ସଜାଗ କରାଯାଇଛି । ରିଲିଫ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଛି ।