ଆମେରିକାରେ ଟ୍ରକ ଚଲାଇବେ ରାହୁଲ ଗାନ୍ଧୀ

ଭାରତରେ ସଂସଦ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଣ୍ଢାଇ ଆପଣା ଆସନରେ ବସି ବେଶି ଚାଲାକି ଦେଖାଇ ଆଖି ମାରିବା ପରଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ରାଜନୈତିକ କ୍ୟାରିୟର ତଳମୁହାଁ ହୋଇଯାଇଛି । ଭାରତରେ ଆଉ ତାଙ୍କର ରାଜନୀତି କରିବାକୁ ଆଗ୍ରହ ନାହିଁ । ରାଜନୀତି ଛାଡ଼ି ଟ୍ରକ ବ୍ୟବସାୟ ପ୍ରତି ତାଙ୍କର ଆଗ୍ରହ ବଢ଼ିଛି । ପଞ୍ଜାବ ଗସ୍ତରେ ଯାଇ ରାହୁଲ ଏକ ଟ୍ରକରେ ବସି ଯାତ୍ରା କରିବା ସମୟରେ ଚାଳକଙ୍କଠାରୁ ନାନା ସମସ୍ୟା ବୁଝିଥିଲେ ।

ଇତିମଧ୍ୟରେ ରାହୁଲ ଆମେରିକା ଗସ୍ତରେ ଯାଇଛନ୍ତି । ୱାଶିଂଟନରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଗୋଟିଏ ଟ୍ରକରେ ବସି ରାହୁଲ ପ୍ରାୟ ୧୯୦ କିଲୋମିଟର ଯାତ୍ରା କରିଥିଲେ । ସେହି ସମୟରେ ଟ୍ରକ ଚାଳକ ତେଜିନ୍ଦର ଗିଲଙ୍କ ସହ ଅନ୍ତରଙ୍ଗ ଆଳାପ କରିଥିଲେ । ରାହୁଲ ତେଜିନ୍ଦରଙ୍କ ମାସିକ ରୋଜଗାର ଜାଣିବାକୁ ଚାହିଁଲେ । ଟ୍ରକ୍‌ ଚାଳକ ତେଜିନ୍ଦର ଯାହା ଜବାବ ଦେଲେ, ସେଥିରେ ରାହୁଲଙ୍କର ଡୋଳା ଆକାଶରେ ଲାଗିଗଲା ।

ରାହୁଲଙ୍କ ସୂଚନା ମୁତାବକ ଆମେରିକାରେ ଟ୍ରକ ଯାତ୍ରା ଭାରତ ତୁଳନାରେ ବେଶ ଆରାମଦାୟକ । ଖାସ କରି ଟ୍ରକ ଚାଳକଙ୍କ ପାଖ ସିଟ୍‌ ସବୁ ଦୃଷ୍ଟିରୁ ଭଲ । ଚାଳକଙ୍କ ସୁବିଧା ମୁତାବକ ଟ୍ରକ ତିଆରି କରାଯାଏ । କିନ୍ତୁ ଭାରତରେ ଚାଳକଙ୍କ ସୁବିଧାକୁ ଅଗ୍ରାଧିକାର ଦେଇ ଟ୍ରକ ତିଆରି କରାଯାଏନା । ଆମେରିକାରେ ନିର୍ମିତ ଟ୍ରକଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ରହିଛି । ସେଠାରେ ଟ୍ରକ ଚାଳକଙ୍କୁ କୌଣସି ପୁଲିସ ହଇରାଣ ହରକତ କରନ୍ତି ନାହିଁ । ଟ୍ରକରୁ ମାଲ ଚୋରି ହେବାର ଭୟ ନାହିଁ । ମାତ୍ର ନିର୍ଦ୍ଧାରିତ ବେଗଠାରୁ ଅଧିକ ବେଗରେ ଟ୍ରକ ଚଲାଇଲେ, ଚାଲାଣ କଟାଯିବାର ବିଧି ରହିଛି ।

ଆମେରିକାରେ ଯଦି ଆପଣ ଟ୍ରକ ଚଲାନ୍ତି, ଭାରତୀୟ ମୁଦ୍ରା ଆକାରରେ ମାସିକ ୪/୫ ଲକ୍ଷ ଟଙ୍କା ରୋଜଗାର କରିବେ । ଟ୍ରକ ମାଲିକ ହୋଇଥିଲେ ଆରାମରେ ମାସକୁ ୮/୧୦ ଲକ୍ଷ ଟଙ୍କା କମାଇ ପାରିବେ । ଯୋଉମାନଙ୍କ ପାଖରେ ଟଙ୍କା ଖଟାଇବାର ଶକ୍ତି ନାହିଁ, ସେମାନଙ୍କ ପାଇଁ ଟ୍ରକ ଚାଳକ ହେବା ସବୁଠାରୁ ଭଲ ।