ପ୍ରତି ୧୫ ମିନିଟ୍‌ରେ ଫୋନ୍‌ ଯାଞ୍ଚ

ୱାଟସ୍‌ଅପ୍‌ରେ ଗ୍ରୁପ୍‌ ମେସେଜ୍‌ ହେଉ ଅବା ସପିଂ ଆପ୍‌ର ଅଫର ପ୍ରତ୍ୟେକ ମୁହୁର୍ତ୍ତରେ ଫୋନ୍‌କୁ ଏ ନେଇ ନୋଟିଫିକେସନ୍‌ ଆସିଥାଏ। ବାରମ୍ବାର ଆସୁଥିବା ‌ନୋଟିଫିକେସନ୍‌ କାର୍ଯ୍ୟରୁ ଧ୍ୟାନ ବିଚ୍ୟୁତ କରାଏ।

ଏକ ରିପୋର୍ଟ ଅନୁସାରେ ଜଣେ ବ୍ୟକ୍ତି ଗୋଟିଏ ଦିନରେ ୮୪ ଥର ଫୋନ୍‌ ଚେକ୍‌ କରିଥାନ୍ତି। ଅର୍ଥାତ୍‌ ପ୍ରତି ୧୫ ମିନିଟ୍‌କୁ ଥରେ ସେ ଫୋନ୍‌ ଚେକ୍‌ କରନ୍ତି। ଅଷ୍ଟ୍ରେଲିଆର ଡିକିନ୍‌ ୟୁନିଭର୍ସିଟିର ବରିଷ୍ଠ ମନସ୍ତତ୍ବବିତ୍‌ଙ୍କ ଶାରନ୍‌ ହୋର୍ଡ କୁହନ୍ତି, ଫୋନ୍‌ର ଘଣ୍ଟି ଧ୍ୟାନ ଭଙ୍ଗ କରି ଦୁଇ ପ୍ରକାରର ବ୍ୟାଘାତ ମସ୍ତିଷ୍କକୁ ଦେଇଥାଏ।

ପ୍ରଥମଟି ହେଲା, ଏକ୍ସୋଜେନସ୍‌ ବ୍ୟାଘାତ ଓ ଦ୍ବିତୀୟଟି ଏଣ୍ଡୋଜେନସ୍‌ ବ୍ୟାଘାତ। ଏହି ବ୍ୟାଘାତ କାରଣରୁ କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ଜାଗ୍ରତ ହୁଏ ନାହିଁ। ଏଥିରୁ ଚାପ ସୃଷ୍ଟି ହୁଏ। ବାରମ୍ବାର ବ୍ୟାଘାତ ହେବାରୁ କଳାତ୍ମକ ଚିନ୍ତାଶକ୍ତି ଓ କାର୍ଯ୍ୟକରିବାର କ୍ଷମତା କମିଥାଏ। ମନରେ ଚିଡ଼ିଚିଡ଼ା ଭାବ ସୃଷ୍ଟି ହୋଇଥାଏ। ଏଥିରୁ ହିଁ ଅବସାଦ ସୃଷ୍ଟି ହୁଏ। ସେଥିପାଇଁ ଫୋନ୍‌ରୁ ଅଧିକ ଦୂରେଇ ରହିବା ହିଁ ସମସ୍ତଙ୍କ ପାଇଁ ଭଲ ବୋଲି ମନସ୍ତତ୍ବବିତ୍‌ ଶାରନ୍‌ କହିଛନ୍ତି।