ଯମୁନା ନଦୀରେ ଡଙ୍ଗାବୁଡ଼ି ୪ ମୃତ, ୨୫ ନିଖୋଜ
ନାଉରିଆ ଧରିଥିବା କାତଟି ହଠାତ୍ ଭାଙ୍ଗିଯିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି…..
ଦିଲ୍ଲୀ: ଯମୁନା ନଦୀର ବାନ୍ଦାଘାଟରୁ ଫତେପୁର ଅଭିମୁଖେ ଯାଉଥିବା ଡଙ୍ଗାଟି ଡୁବିଯିବା ଫଳରେ ଅନ୍ୟୁନ ୨୫ ଜଣ ଯାତ୍ରୀ ନିଖୋଜ ହୋଇଛନ୍ତି । ଡଙ୍ଗାରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବୁଡ଼ି ଯାଇଥିବା ଡଙ୍ଗାରେ ଅଧିକ ସଂଖ୍ୟକ ମହିଳା ଯାତ୍ରୀ ଥିଲେ । ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଅଧିକାଂଶ ମହିଳା ଯାତ୍ରୀ ରାକ୍ଷୀ ବାନ୍ଧିବା ଉଦ୍ଦେଶ୍ୟରେ ବାପଘରକୁ ଯାଉଥିବା ଅନୁମାନ କରାଯାଉଛି । ନାଉରିଆ ଧରିଥିବା କାତଟି ହଠାତ୍ ଭାଙ୍ଗିଯିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । କିଛି ଯାତ୍ରୀ ପହଁରି ପହଁରି କୂଳରେ ପହଂଚିଛନ୍ତି । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ମୁଁ ମୋ ସ୍ତ୍ରୀଙ୍କୁ ଧରି ଶଶୁର ଘରକୁ ଯିବା ଉଦ୍ଦେଶ୍ୟରେ ପ୍ରଥମ ଡଙ୍ଗାରେ ବସିଥିଲି ।
କୂଳରେ ପହଂଚି ପଛଡଙ୍ଗାକୁ ଦେଖିଲା ବେଳକୁ ତାହା ଟଳମଳ ହେଉଥିଲା । ଆମେମାନେ କୂଳରେ ଠିଆ ହୋଇ ସେମାନଙ୍କର ଆକୁଳ ଚିକ୍ରାର ଶୁଣୁଥିଲୁ । ଆମ ପକ୍ଷରେ କିଛି କରିବାର ସାହସ ନଥିଲା । ଭରାନଦୀରେ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ନଥିଲା । ଅଧିକାଂଶ ଯାତ୍ରୀ ସମାଗରା ଗାଁର ମହିଳା ଓ ପୁରୁଷ । ସେମାନଙ୍କୁ ମରକାଘାଟରୁ ଫତେପୁର ଜିଲ୍ଲାର ଅସୋଥର ଘାଟକୁ ଯିବାର ଥିଲା । ଡଙ୍ଗାରେ ଯାତ୍ରୀଙ୍କ ସମତେ କିଛି ମୋଟର ସାଇକେଲ ଥିଲା । ମଝିନଦୀରେ ଡଙ୍ଗାଟି ସନ୍ତୁଳନ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଛି ।