ମରଣଠାରୁ ଯନ୍ତ୍ରଣାଦାୟକ ନକ୍‌ସଲୀ ଜୀବନ

ପୁଲିସ ଭୟରେ ଭାତ ଛାଡ଼ି ପଳାଇଛି

ଉାସମାସ ଖାଇବାକୁ ମିଳେନା, ପତ୍ର ଖାଉ …..

‘ଘରକୁ ଘର ବୁଲି ଭାତ ଆଣିଲି । ଜଣେ ଭଜା ଦେଲେ, ଆଉ ଜଣେ ପିଆଜ ଦେଇଥିଲେ । ଦୁଇଦିନ ଧରି ଭୋକରେ ଥିଲି । ଗୁଣ୍ଡାଏ ପାଟିରେ ଦେଇଛି, ପୁଲିସ ଫଉଜ ମାଡ଼ିଆସିଲା । ଭାତ ଛାଡ଼ି ପଳାଇବାକୁ ବାଟ ଖୋଜିଲି । ଭୋକ ଦାଉରୁ ରକ୍ଷା ପାଇଁ ଅନାବନା ଗଛର ପତ୍ର ନଚେତ୍‌ ମହୁଲ ଖାଉ । ତଥାପି ଭୋକରୁ ମୁକ୍ତି ମିଳେନା । ଭାତ ମୁଠାଏ କି ରୁଟି ଖଣ୍ଡେ ମିଳିବା ସାତସପନ । ଶୋଷ ଲାଗିଲେ, ପୋକ ସାଲୁବାଲୁ ନଳାପାଣି ପିଉ । ଆମ ଭିତରୁ କେହି ମ୍ୟାଲେରିଆ ମରନ୍ତି ତ କେହି ହଇଜାରେ ମରନ୍ତି । କେହି ପୁଣି ପୁଲିସ ଗୁଳିରେ ମରନ୍ତି । ଅଧିକାଂଶ ସାଥି ନିଜଲୋକଙ୍କୁ ଝୁରିଝୁରି ମରିଥାନ୍ତି । ନବଦମ୍ପତିଙ୍କୁ କଠିନ ନିୟମ ଭିତରେ ଚଳିବାକୁ ପଡେ଼ । ଦ୍ୱିତୀୟ ପିଲା ଜନ୍ମ କରିବା ମନା । ଦ୍ୱିତୀୟ ପିଲା ରହିବା ଜଣାପଡ଼ିଲେ, କମାଣ୍ଡରଙ୍କ କଡ଼ା ନିର୍ଦ୍ଦେଶ ଶୁଣିବାକୁ ପଡେ଼, ଗର୍ଭପାତ ବଟିକା ଖାଅ ନଚେତ୍‌ ଗର୍ଭ ନିୟନ୍ତ୍ରଣ କର ।’

ଆତ୍ମସମର୍ପଣ କରୁଥିବା ନକ୍‌ସଲଙ୍କ ମୁହଁରୁ ଏଭଳି ଅନେକ ମର୍ମସ୍ପର୍ଶୀ କଥା ଶୁଣିବାକୁ ମିଳେ । ଆମେ ଯାହାଠାରୁ ଏସବୁ କଥା ଶୁଣୁଥିଲୁ । ସେ ହେଉଛନ୍ତି ଝାଡ଼ଖଣ୍ଡ ରାଜ୍ୟର ରାମପାଦ ଲୋହରା । ସାନ୍ତାଳି ମିଶା ହିନ୍ଦୀ ଭାଷାରେ କଥା କହୁଥିଲା ସେ । ନକ୍‌ସଲ ସଂଗଠନରେ ମିଶିବା ପରେ ୧୦ ବର୍ଷ କାଳ ସେ ଅଗନାଅଗନି ଜଙ୍ଗଲରେ ଦିନ କାଟିଥିଲା । ସଂଗଠନର ଛୋଟକାଟର ନେତା ଥିଲା ରାମପାଦ । ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼ ଜଙ୍ଗଲ ତା’ର ଚରାଭୂଇଁ । ହାତରେ ବନ୍ଧୁକ, କାନ୍ଧରେ ୮/୯ କିଲୋ ଜିନିଷପତ୍ର ଧରି ଘଂଚ ଜଙ୍ଗଲରେ ବାଟ ଚାଲିବା ସହିତ ପୁଲିସ ସହିତ ଲଢେ଼ଇ ।

କହୁଥିଲା ରାମପାଦ, ‘ଏମିତି ଜୀବନ ଆଉ କାଟିବିନି ଭାବିଲି । ୨୦୧୩ରେ ପୁଲିସ ନିକଟରେ ଆତ୍ମସମର୍ପଣ କଲି । ଅବଶ୍ୟ ଆତ୍ମସମର୍ପଣ କରିବାର ମୂଳଦୁଆ ୨୦୦୯ରୁ ପଡ଼ିଥିଲା । ସେତେବେଳେ ମୁଁ ପୁଲିସ ପାଇଁ ଗୁପ୍ତ ଖବରଦାତା କାମ କରୁଥିଲି । ଏବେ ମୁଁ ସମାଜର ମୁଖ୍ୟସ୍ରୋତରେ କାମ କରୁଛି । ଆତ୍ମଶାନ୍ତି ପାଉଛି ।’ କିଛି ସମୟ ନିରବ ରହି ପୁଣି କହିଲା ରାମପାଦ, ‘ଏବେ ରାଂଚୀର ପୁଲିସ ଲାଇନରେ ଯବାନଙ୍କ ପୋଷାକ ସିଲାଇ କରୁଛି । ସାଧାସିଧା ଜୀବନ ବିତାଉଛି । ମାତ୍ର ମଥାରୁ ନକ୍‌ସଲ କଳଙ୍କ ଲିଭୁନାହିଁ । ଏ କଳଙ୍କକୁ ଯେତେ ରଗଡ଼ି ଧୋଇଲେ ବି ଲିଭିବ ନାହିଁ ।’ ଏଇ ହେଉଛି ନକ୍‌ସଲ ରାମପାଦର ଛାତିତଳର କଥା । ଏମିତି ଅନେକ ରାମପାଦ ନକ୍‌ସଲୀ ଜୀବନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ମଧ୍ୟ ସାଧାରଣ ଲୋକଙ୍କ ଦୃଷ୍ଟିରେ ଏବେ ବି ଅଲୋଡ଼ା ।