ଭୟଙ୍କର ବସ ଦୁର୍ଘଟଣାରେ ଚାଲିଗଲା ୮ ଜୀବନ

ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଦୁଇଟି ଡବଲ ଡେକର ବସ…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଦୁଇଟି ଡବଲ ଡେକର ବସ ପରସ୍ପରକୁ ଧକ୍କା ଦେଇଥିବାରୁ ୮ ଜଣଙ୍କ ମୃତ୍ୟୁ ହେବା ସହ ୨୦ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୁଲିସ କହିଛି ଯେ ବାରବାଙ୍କି ଜିଲ୍ଲା ନରେନ୍ଦ୍ରପୁର ମାର୍ଦ୍ଧା ଗାଁ ନିକଟ ଦେଇ ଯାଇଥିବା ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ଉପରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଦୁଇଟି ଯାକ ବସ ବିହାରରୁ ଦିଲ୍ଲୀ ଯାଉଥିଲେ । ତେବେ ଅଧା ରାସ୍ତାରେ ଏତେ ବଡ଼ ଅଘଟଣ ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ୮ ଜଣଙ୍କ ଜୀବନ ଚାଲିଯାଇଛି । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ଦୁର୍ଘଟଣା ଯୋଗୁ ଦୁଇଟି ଯାକ ବସ ପୂରା ଛିନଛତ୍ର ହୋଇ ଯାଇଛି । ସେହିପରି ସୂଚନାଯୋଗ୍ୟ ଯେ, ରାସ୍ତାରେ ଦୁଇଟି ଯାକ ବସ ଯାଉଥିଲା । ତେବେ ଆଗରେ ଯାଉଥିବା ବସଟି ହଠାତ ଅଟକି ଯାଇଥିଲା । ଏହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଆଉ ଗୋଟିଏ ବସ ଏହାକୁ ଧକ୍କା ଦେଇଥିଲା । ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।