ପବିତ୍ର ନବରାତ୍ରିରେ ମା’ଙ୍କୁ ଅପହରଣ, ଗଣଦୁଷ୍କର୍ମ

ପାର୍ବଣ ଋତୁ ଆରମ୍ଭ ହୋଇଛି । ସାରା ଦେଶରେ ଦୁର୍ଗତିନାଶିନୀ…

ରାଂଚି: ପାର୍ବଣ ଋତୁ ଆରମ୍ଭ ହୋଇଛି । ସାରା ଦେଶରେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କର ନବଦିନାତ୍ମକ ପୂଜା ମହା ଆଡ଼ମ୍ବରରେ ଚାଲିଥିଲା ବେଳେ ନାବାଳିକାଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଝାଡ଼ଖଣ୍ଡର ଗରୱା ଅଂଚଳରେ ମା’ ଦୁର୍ଗାଙ୍କ ପୂଜାମଣ୍ଡପ ନିକଟରୁ ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିଲେ କିଛି ଅସାମାଜିକ ଯୁବକ । ଯୁବକମାନେ ନାବାଳିକାକୁ ଡରାଇ ଧମକାଇ ଶାରୀରିକ ଦୁଷ୍କର୍ମର ଶିକାର କରିବା ପରେ ଛାଡ଼ି ଦେଇଛନ୍ତି । ଚିନିଆ ଥାନା ଅଂଚଳର ସରାଇଦୋହର ଗ୍ରାମରେ ଏଭଳି ହୀନ କାର୍ଯ୍ୟ ଘଟିଛି । ନାବାଳିକାଙ୍କ ଅଭିଭାବକଙ୍କ ଅଭିଯୋଗ କ୍ରମେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୀଡ଼ିତା କହିଛନ୍ତି ଯେ ସେ ପୂଜା ମଣ୍ଡପ ନିକଟରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ । ରାତି ୧୨ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସରିବା ପରେ ଦୁଇଜଣ ଯୁବକ ସଂପୃକ୍ତ ନାବାଳିକାଙ୍କୁ ଅପହରଣ କରିନେଇଥିଲେ । ପୂଜା ମଣ୍ଡପଠାରୁ ମାତ୍ର ୨୦୦ ମିଟର ଦୂରରେ ସେମାନେ ଦୁଷ୍କର୍ମ କରିଥିଲେ ।

 

ପୀଡ଼ିତା କହିଛନ୍ତି ଯେ ତାଙ୍କୁ ଅପହରଣ କରି ନିଆଯାଉଥିଲା ବେଳେ ୫/୬ ଜଣ ଲୋକ ଦେଖିଛନ୍ତି । ଅପହରଣ କରି ନିଆଯିବାର ୪/୫ ଘଂଟା ପରେ ପୀଡ଼ିତାଙ୍କୁ ଛାଡ଼ି ଦିଆଯାଇଥିଲା । ଗଣଦୁଷ୍କର୍ମ ସଂପର୍କରେ କାହାକୁ କହିଲେ ଜୀବନରୁ ମାରିଦେବୁ ବୋଲି ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଧମକ ଦେଇଥିଲେ । ପୀଡ଼ିତା ଜଣକ ଲହୁଲୁହାଣ ଅବସ୍ଥାରେ ଘରେ ପହଂଚିଥିଲେ । ସୋମବାର ପୀଡ଼ିତା ତାଙ୍କର ବାପା ଓ ମା’ଙ୍କ ସହ ଥାନାକୁ ଯାଇ ଅଭିଯୋଗ କରିଥିଲେ ।

 

ପବିତ୍ର ଦଶହରାରେ ଧନୀଘରର ଲୋକମାନେ କୁମାରୀମାନଙ୍କୁ ମା’ଙ୍କ ଅବତାର ମଣି ପୂଜା କରିଥାନ୍ତି । ମାତ୍ର କିଛି କାମାନ୍ଧଙ୍କ ପାଇଁ ମା’ଙ୍କ ପୂଜା କଳଙ୍କିତ ହୋଇଯାଇଛି ।