ବିଜେଡି କର୍ମୀ ମନୋଜ ପଣ୍ଡା ଗିରଫ

ଲୋକଙ୍କଠାରୁ ଲୁଟିଛି ୨୦ କୋଟି

ଲୋକଙ୍କଠାରୁ ୨୦ କୋଟି ଟଙ୍କା ଠକି ନେବା ଅଭିଯୋଗ ଓଡ଼ିଶା ପୁଲିସ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଅଂଚଳରୁ ମନୋଜ କୁମାର ପଣ୍ଡାକୁ ଗିରଫ କରି ରିମାଣ୍ଡରେ ଭୁବନେଶ୍ୱର ଆଣିଛି । ଅଭିଯୁକ୍ତ ମନୋଜ ହୋମ୍‌ ଆଣ୍ଡ୍‌ କମର୍ସିଆଲ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ । ଦୀର୍ଘଦିନ ଧରି ଅର୍ଥନୈତିକ ଅପରାଧ ଶାଖା ତାକୁ ଧରିବା ପାଇଁ ଉଦ୍ୟମ କରୁଥିଲା । ଅଭିଯୁକ୍ତ ମନୋଜ ଗୋଟିଏ ସ୍ଥାନରେ ବେଶିଦିନ ରହୁ ନଥିଲା ବୋଲି ପୁଲିସ କହିଛି ।

ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅରବିନ୍ଦ ସାମନ୍ତରାଙ୍କୁ ଗିରଫ କରାଯାଇଛି । ସେ ଏବେ ବିଚାର ବିଭାଗ ହାଜତରେ ଅଛନ୍ତି । ଅଭିଯୁକ୍ତ ମନୋଜଙ୍କ ନାମରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି ହୋଇଥିଲା । କାକିନାଡା ଜିଲ୍ଲାର ଆନ୍ନାବରମସ୍ଥିତ ଏକ ହୋଟେଲରେ ମନୋଜ ରହୁଥିଲା । ଶନିବାର କାକିନାଡା ପୁଲିସ ସହାୟତାରେ ତାକୁ ଗିରଫ କରାଯିବା ପରେ ଟ୍ରାଞ୍ଜିଟ୍‌ରେ ଅଣାଯାଇଛି । ଉଭୟ ଅଭିଯୁକ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନାମ କହି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପରେ ଟଙ୍କା ନେବାର ଆଳ ଦେଖାଉଥିଲେ ।