ନଭେମ୍ବର ୩ରୁ ରାଜ୍ୟରେ ଠକିଖିଆଙ୍କ ସର୍ବେକ୍ଷଣ

ଖଟିଖିଆଙ୍କ ପାଇଁ ଉପନିର୍ବାଚନରେ ଲଢ଼ିବ ଏଜେଡି

ଭୁବନେଶ୍ୱର: ରାଜ୍ୟରେ ଠକିଖିଆଙ୍କ ସଂଖ୍ୟା ଜାଣିବା ପାଇଁ ଆମ ଜନତା ଦଳ ପକ୍ଷରୁ ଧାମନଗର ନିର୍ବାଚନ ମଣ୍ଡଳୀରୁ ସର୍ବେକ୍ଷଣ ଆରମ୍ଭ କରାଯିବ । ଏଥିପାଇଁ ନଭେମ୍ବର ୩ ତାରିଖକୁ ଧାର୍ଯ୍ୟ କରାଯାଇଛି । ବିଗତ ୨୩ ବର୍ଷ ଭିତରେ ରାଜ୍ୟରେ ଠକିଖିଆଙ୍କ ସଂଖ୍ୟା ଖଟିଖିଆଙ୍କ ତୁଳନାରେ ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି । ମାତ୍ର କେତେ ପରିମାଣରେ ବୃଦ୍ଧି ପାଇଛନ୍ତି; ତାହା ଜାଣିବା ପାଇଁ ‘ଆମ ଜନତା ଦଳ’ ପ୍ରୟାସ କରୁଛି । ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ଘଟିଛି । ତାଙ୍କ ଆସନରେ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ନଭେମ୍ବର ୩ ତାରିଖରେ ଧାମନଗରରେ ମତଦାନ ଗ୍ରହଣ କରାଯିବ । ଏହି ଆସନଟିକୁ ବିଜେପି ପ୍ରତିନିଧିତ୍ୱ କରୁଥିଲା । ଏବେ ବିଜେଡି ଉକ୍ତ ଆସନଟିକୁ ହାତେଇବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବ ।

ବିଗତ ଦିନରେ ଯେତୋଟି ଆସନରେ ଉପନିର୍ବାଚନ ହୋଇଛି । ସେଥିଭିତରୁ କେବଳ ବାଲେଶ୍ୱର ସଦର ଆସନଟି ବିଜେପି ହାତରେ ଥିଲା ଯାହା ଏବେ ବିଜେଡି ହାତକୁ ଚାଲିଯାଇଛି । ଧାମନଗର ଉପନିର୍ବାଚନ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ଏସିଡ୍‌ ଟେଷ୍ଟ ବୋଲି କୁହାଯାଉଛି । ଉକ୍ତ ଉପନିର୍ବାଚନ ଜରିଆରେ ବିଜେଡି, ବିଜେପି ଓ କଂଗ୍ରେସର ଲୋକପ୍ରିୟତା ଜଣାପଡ଼ିଯିବ । ମାତ୍ର ‘ଆମ ଜନତା ଦଳ’ ଉକ୍ତ ଆସନରେ ଜିତିବା ପାଇଁ ନୁହେଁ; ଠକିଖିଆଙ୍କ ସଂଖ୍ୟା ଜାଣିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ ।

ଆମ ଜନତା ଦଳ ପାଇଥିବା ଭୋଟ ପରିମାଣରୁ ଠକିଖିଆଙ୍କ ସଂଖ୍ୟା ସ୍ପଷ୍ଟ ହେବ । ବିଜେଡି ଅମଳରେ ଠକିଖିଆଙ୍କ ସଂଖ୍ୟା ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଲା, ସରକାରୀ ଯୋଜନା ଆଳରେ ରାଜକୋଷରୁ ବିପୁଳ ପରିମାଣର ଟଙ୍କା ମଞ୍ଜୁର କରି ତାହାକୁ ଭୋଟରଙ୍କ ହାତରେ ଧରାଇବା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମଳରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟରେ ଖଟିଖିଆଙ୍କ ସଂଖ୍ୟା କମୁଥିବାରୁ ଶସ୍ୟ ଉତ୍ପାଦନ ପରିମାଣ କମିଯାଉଛି । ବିହନ ତଳି ପକାଇବାଠାରୁ ଆରମ୍ଭ କରି ଫସଲ କାଟିବା ପର୍ଯ୍ୟନ୍ତ ମୂଲିଆ ମିଳୁନାହାନ୍ତି । ଯଦିଓ କୌଣସି ମୂଲିଆ କାମ କରିବାକୁ ରାଜି ହେଉଛନ୍ତି; ସେମାନେ ସରକାରଙ୍କ ନିର୍ଦ୍ଧାରିତ ମୂଲ ଦାବି କରୁଛନ୍ତି ଯାହା ଜଣେ ସାଧାରଣ ଚାଷୀ ପକ୍ଷେ ଅସମ୍ଭବ ।

ଘରୋଇ ସଂସ୍ଥାରେ ମଧ୍ୟ କର୍ମଚାରୀଙ୍କ ସଂଖ୍ୟା କମିଯାଉଛି । ଅଳ୍ପପାଠ ପଢ଼ିଥିବା ଯୁବକ ଯୁବତୀମାନେ କଳକାରଖାନାରେ ଖଟିବା ଅପେକ୍ଷା ଖଟିଖିଆ ବାପ ଉପରେ ବୋଝ ହେବାକୁ ଉଚିତ ମଣୁଛନ୍ତି । ଆଜିକାଲି ପ୍ରତି ମାସରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା, ଜନ ସମାବେଶ, ପଦଯାତ୍ରା ଆୟୋଜନ ଚାଲିଛି । ଉକ୍ତ ପ୍ରତିବାଦ ଶୋଭାଯାତ୍ରା, ବିକ୍ଷୋଭ ଶୋଭାଯାତ୍ରାକୁ ସଫଳ କରିବା ପାଇଁ କାମଚୋର ଯୁବକଙ୍କୁ ଖୋଜା ଯାଉଛି ।
ଏ ପ୍ରକାର ହୀନ ଚିନ୍ତାଧାରା ପୋଷଣ କରୁଥିବା ଯୁବକ ଯୁବତୀଙ୍କ ପାଇଁ ରାଜ୍ୟର ବିକାଶଧାରା ବାଧାପ୍ରାପ୍ତ ହେଉଛି ବୋଲି ଆମ ଜନତା ଦଳ ଅନୁମାନ କରୁଛି ।

ସୂଚନା ମୁତାବକ ଅକ୍ଟୋବର ୭ ତାରିଖରେ ଉପନିର୍ବାଚନ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୪ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ କରାଯିବ । ଅକ୍ଟୋବର ୧୭ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଅନ୍ତିମ ତାରିଖ । ନଭେମ୍ବର ୩ ତାରିଖରେ ମତଦାନ ଗ୍ରହଣ ଓ ୭ରେ ଭୋଟ ଗଣତି ହେବ । ସେହିଦିନ ହିଁ ଫଳାଫଳ ପ୍ରକାଶ ପାଇବ ।