ମିଛ କହିଲା ଆମେରିକା: ମରିନି ଖଲିସ୍ତାନୀ ଆତଙ୍କୀ ପନ୍ନୁ
ଆମେରିକାର ଖବରକୁ ମିଛ କହି ଖଲିସ୍ତାନୀ ଆତଙ୍କୀ ଗୁରପତବନ୍ତ ସିଂ ପନ୍ନୁ ଗୁରୁବାର ଏକ ଖବର ସଂସ୍ଥା ସହିତ କଥା ହୋଇଛି । ପନ୍ନୁ କହିଛି ଯେ ଭାରତ ସରକାର ଏବେ ନିରାଶାଜନକ ସ୍ଥିତିରେ ଅଛି । ଗୁରୁଙ୍କ କୃପାରୁ ଆମେ ପଞ୍ଜାବକୁ ଭାରତ କବଳରୁ ମୁକ୍ତ କରିବୁ । ଖଲିସ୍ତାନୀ ଆନ୍ଦୋଳନକୁ ଆମେ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବୁ ।
ବୁଧବାର ଏକ ଖବର ପ୍ରକାଶ ପାଇଥିଲା ଯେ ଭାରତର ମୋଷ୍ଟ ୱାଂଟେଡ୍ ଆତଙ୍କୀ ପନ୍ନୁ ଆମେରିକାରେ ଏକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛି । କିଛି ରିପୋର୍ଟରେ ତା’ର ଫଟୋ ପ୍ରସାରିତ ହୋଇଥିଲା ଯୋଉଥିରେ ଗୋଟିଏ କାର ଓ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା ।
ଗତ କିଛି ମାସ ଭିତରେ ବିଭିନ୍ନ ଦେଶରେ ତିନିଜଣ କୁଖ୍ୟାତ ଖଲିସ୍ତାନୀ ନେତାଙ୍କୁ ହତ୍ୟା କରାଯାଇଛି । ଉକ୍ତ ହତ୍ୟା ପାଇଁ ଖଲିସ୍ତାନୀ ସଂଗଠନ ଭାରତକୁ ଦାୟୀ କରିଛି । ଏକ ଭିଡିଓ ସେୟାର କରି ପନ୍ନୁ କହିଛି, କାନାଡ଼ାରେ ମୃତ୍ୟୁବରଣ କରିଥିବା ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜର ପଛରେ ଭାରତର ହାତ ଅଛି । ସୂଚନା ମୁତାବକ ୨୦୧୯ ଜୁଲାଇ ୧୦ ତାରିଖରେ ଭାରତ ସରକାର ଶିଖ ଫର୍ ଜଷ୍ଟିସ ସଂଗଠନକୁ ଆତଙ୍କୀ ସଂଗଠନ ଭାବେ ଘୋଷଣା କରିଥିଲେ । ତା’ର ଏକବର୍ଷ ପରେ ୨୦୨୦ ଜୁଲାଇ ପହିଲାରେ ପନ୍ନୁକୁ ଆତଙ୍କୀ ଘୋଷଣା କରାଯାଇଥିଲା ।