ଜାଣନ୍ତି, ଚନ୍ଦ୍ରରେ ସୂର୍ଯ୍ୟ କେତେଦିନ ଉଦୟ ହୁଏ?

ପୃଥିବିରେ ଦୈନିକ ସୂର୍ଯ୍ୟ ଉଦୟ ହେଉଛି ଓ ଅସ୍ତ ହେଉଛି । ଜାଣନ୍ତି, ଚନ୍ଦ୍ର କେତେଦିନ ପାଇଁ ଆଲୋକିତ ରହେ? କେତେଦିନ ଅନ୍ଧାର ରୁହେ? ଏ ପ୍ରଶ୍ନର ସମାଧାନ କରିବ ଆମ ଚନ୍ଦ୍ରଯାନ-୩ । ଜୁଲାଇ ୧୪ ତାରିଖ ଦିନ ୨ଟା ୩୫ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧବନ୍ ମହାକାଶ କେନ୍ଦ୍ରରୁ ଚନ୍ଦ୍ର ଅଭିମୁଖେ ଗମନ କରିବ ଚନ୍ଦ୍ରଯାନ-୩ ।

ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କ ସୂଚନା ମୁତାବକ ଅଗଷ୍ଟ ୨୩ ଅବା ୨୪ ତାରିଖରେ ଚନ୍ଦ୍ରଯାନଟି ଚନ୍ଦ୍ରପୃଷ୍ଠରେ ବେଶ ଧୀରଭାବରେ ଅବତରଣ କରିବ । ଯାନଟିକୁ ବେଶ ତୀକ୍ଷ୍ଣଭାବେ ନିର୍ମାଣ କରାଯାଇଛି । ତା’ର ପ୍ରତ୍ୟେକଟି ଅଂଶକୁ ବାରମ୍ବାର ଯାଂଚ ସରିଛି । ବୁଧବାର ଦିନ ଚନ୍ଦ୍ରଯାନ-୩କୁ ଉତ୍କ୍ଷେପଣ ଯାନରେ ଲଗାଇ ଦିଆଯାଇଛି । ଏହି ଅଭିଯାନଟିକୁ ସଫଳ କରିବା ପାଇଁ ୬୫୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

ଚନ୍ଦ୍ରଯାନଟି ସଫଳତାର ସହିତ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିଲେ; ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଦେଶ ଭିତରେ ଭାରତର ସ୍ଥାନ ଚତୁର୍ଥ ହେବ । ଆମେରିକା, ରୁଷିଆ ଓ ଚୀନ ସେମାନଙ୍କର ମହାକାଶଯାନକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରି ପାରିଛନ୍ତି ।

ଏହି ମିଶନରେ ଭାରତ ଚନ୍ଦ୍ରପୃଷ୍ଠରେ ଏକ ଲ୍ୟାଣ୍ଡର ଅବତରଣ କରାଇବ । ସେହି ଲ୍ୟାଣ୍ଡର ଭିତରେ ଗୋଟିଏ ରୋଭର ଅଛି । ଉକ୍ତ ରୋଭରଟି ଚନ୍ଦ୍ରପୃଷ୍ଠରେ ଚାଲବୁଲ କରିବ । ସେଠାକାର ମାଟି, ଜଳବାୟୁ ଓ ପରିବେଶ ସଂପର୍କରେ ଟିକିନିଖି ଖବର ଜଣାଇବ । ଲ୍ୟାଣ୍ଡରଟି ଚନ୍ଦ୍ରପୃଷ୍ଠରେ ପ୍ରାୟ ୧୪ ଦିନ ରହିବ । ଲ୍ୟାଣ୍ଡର ଅବତରଣ ପାଇଁ ସୂର୍ଯ୍ୟକିରଣ ଜରୁରୀ । ଚନ୍ଦ୍ରରେ ଦୈନିକ ସୂର୍ଯ୍ୟ ଉଦୟ ହୁଏ ନାହିଁ । ଚନ୍ଦ୍ରରେ ୧୪-୧୫ ଦିନ ସୂର୍ଯ୍ୟ ଉଦୟ ହୁଏ, ୧୪-୧୫ ଦିନ ପାଇଁ ସୂର୍ଯ୍ୟ ଉଦୟ ହୁଏ ନାହିଁ ।