ରାହୁଲଙ୍କ ରାଜନୈତିକ ଭାଗ୍ୟ ସୁତାଖିଅରେ

ମୋଦି ସାଙ୍ଗିଆକୁ କେନ୍ଦ୍ର କରି ରାହୁଲଙ୍କ ବିପକ୍ଷରେ ମୁଣ୍ଡ ଟେକିଥିବା ବିବାଦର ବିଚାର କରିବେ ଗୁଜରାଟ ହାଇକୋର୍ଟ । ରାହୁଲଙ୍କ ରାଜନୈତିକ କ୍ୟାରିୟରକୁ ପ୍ରଭାବିତ କରିବ ହାଇକୋର୍ଟଙ୍କ ରାୟ ।
ତଳକୋର୍ଟ ଦଣ୍ଡାଦେଶକୁ କାଏମ ରଖିବେ କି ହାଇକୋର୍ଟ? ଏହି ଆଶଙ୍କାରେ ରାହୁଲଙ୍କୁ ନିଦ ହେଉନି ।

ରାଜସ୍ଥାନରେ ଅନୁଷ୍ଠିତ କଂଗ୍ରେସ ବୈଠକରେ ବସିଥିବା ବେଳେ ମଧ୍ୟ ରାହୁଲଙ୍କ ମୁହଁରେ ପ୍ରାଣଖୋଲା ହସ ଦେଖିବାକୁ ମିଳି ନଥିଲା । ସାରାଦେଶ ଶୁକ୍ରବାର ସକାଳ ୧୧ଟାରେ ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କରିଛି । ସୁରତ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ । ତଳକୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଂଜ କରିଥିଲେ ରାହୁଲ । ତଳକୋର୍ଟଙ୍କ ରାୟକୁ ହାଇକୋର୍ଟ ରୋକ ଲଗାଇଦେଲେ ରାହୁଲଙ୍କ ସାଂସଦ ପଦ ଅଯୋଗ୍ୟତା ନୂଆମୋଡ଼ ନେବ ।

୨୦୧୯ ନିର୍ବାଚନ ସମୟରେ ରାହୁଲ କିଛି ଜନସଭାରେ ମୋଦି ସାଙ୍ଗିଆ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଯାହାକୁ କେନ୍ଦ୍ର କରି ବିଜେପିର ଜଣେ ନେତା ସୁରତ କୋର୍ଟରେ ମାମଲା ରୁଜୁ କରିଥିଲେ । ରାହୁଲ କହିଥିଲେ, ମୋଦି ସାଙ୍ଗିଆଧାରୀମାନେ ଦେଶକୁ ବରବାଦ କରି ସାରିଲେଣି ।