ଭାରତ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକା ସେକ୍ରେଟାରୀ ଅଫ ଷ୍ଟେଟ୍‌ ଆଣ୍ଟୋନୀ ବ୍ଲିଙ୍କନ ଆସନ୍ତା ଜୁଲାଇ ୨୭ରେ ଭାରତ ଗସ୍ତରେ ଆସିବେ । ଏହା ତାଙ୍କର ଦୁଇ ଦିନିଆ ଗସ୍ତ ହୋଇଥିବା ବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ କରିବେ ବୋଲି ଜଣାପଡିଛି । ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଆଫଗାନିସ୍ତାନରେ ତାଲିବାନର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରହିଥିବା ବେଳେ ଆମେରିକା ସେନା ପ୍ରତ୍ୟାହୃତ କରିବାରେ ଲାଗିଛି । ଆଫଗାନିସ୍ତାନ ପଡୋଶୀ ଭାରତର ସହାୟତା ଲୋଡିବ ବୋଲି ଚର୍ଚ୍ଚା ହେଉଛି । ଏସବୁ ଭିତରେ ହିଁ ଆମେରିକାର ବୈଦେଶିକ ମନ୍ତ୍ରୀ ବ୍ଲିଙ୍କନ ଭାରତ ଆସୁଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ବ୍ଲିଙ୍କନ ଦେଶର ବୈଦେଶିକ ମନ୍ତ୍ରୀ ହୋଇଥିଲେ । ଏହି ଦାୟିତ୍ୱ ଗ୍ରହଣ କରିବା ପରେ ସେ ପ୍ରଥମଥର ଭାରତ ଆସୁଛନ୍ତି । ଉଭୟ ଦେଶ ମଧ୍ୟରେ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଆଲୋଚନା କରାଯିବ । ଏହା ମଧ୍ୟରେ କୋଭିଡ-୧୯, ଇଣ୍ଡୋ ପ୍ୟାସିଫିକ କ୍ଷେତ୍ର, ଆଫଗାନିସ୍ତାନ ଓ ମିଳିତ ଜାତିସଂଘ ସମ୍ପର୍କିତ ଆଦି ପ୍ରସଙ୍ଗ ରହିଛି । ବ୍ଲିଙ୍କନ ୨୬ରୁ ୨୯ ଯାଏ ବିଦେଶ ଗସ୍ତରେ ଯିବେ । ଭାରତ ବ୍ୟତୀତ ସେ କ୍ୟୁଏତ ମଧ୍ୟ ଗସ୍ତ କରିବେ ।