ସେନା କବଳରୁ ମୁକୁଳି ପାରିବନି ପାକ୍‌ ଜନାଦେଶ

ଇସଲାମାବାଦ: ପାକିସ୍ତାନର ସେନାବାହିନୀ କେବେ ଜନାଦେଶକୁ ସମ୍ମାନ ଦେବାକୁ ଉଚିତ ମଣେନା । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପାକ୍‌ସେନା ଇମ୍ରାନଙ୍କ ପ୍ରତି ନରମ ମନୋଭାବ ପୋଷଣ କରିଛି । ଇମ୍ରାନଙ୍କ ସମେତ କିଛି ରାଜନୈତିକ ବନ୍ଦୀଙ୍କୁ ଜେଲରୁ ଖଲାସ କରି ଦେଇଛନ୍ତି । ଅବଶ୍ୟ ପାକ୍‌ ସେନାର ଏଭଳି ମନୋଭାବ କେବଳ ଲୋକଙ୍କ ମନକୁ ବୁଝାଇବା ପାଇଁ ।

ପାକିସ୍ତାନ ଇତିହାସରେ କେବେ ସେନା ଓ ଆଇଏସଆଇକୁ ଚାଲେଂଜ କରୁଥିବା ଦଳ ସରକାର ଗଠନ କରିନି । ତେଣୁ ଆଗାମୀ ଦିନରେ ସେନା ଯୋଉ ଦଳ ବା ମେଂଟ ମୁଣ୍ଡରେ ହାତ ରଖିବ, ସେ ହିଁ ସରକାର ଗଠନ କରିବ ।

ପାକ୍‌ସେନା ଚାହିଁବାରୁ ନୱାଜ ସରିଫ ପାକିସ୍ତାନ ମାଟିରେ ପାଦ ରଖିଲେ ଓ ନିର୍ବାଚନ ଲଢ଼ିଲେ । ସରକାର ଗଠନ କରିବା ପାଇଁ କୌଣସି ଗୋଟିଏ ଦଳ ବା ମେଂଟ ମ୍ୟାଜିକ ନମ୍ବର ବିଶିଷ୍ଟ ଆସନ ଦଖଲ କରିନି । ପାକିସ୍ତାନର ଜାତୀୟ ସଂସଦ ଓ ପ୍ରାଦେଶିକ ନିର୍ବାଚନ ଶେଷ ହେବାର ୬୭ ଘଂଟା ଭିତରେ ସବୁ ଆସନର ପରିଣାମ ସ୍ପଷ୍ଟ ହୋଇଛି ।

ନିର୍ବାଚନ କମିଶନ ପକ୍ଷରୁ ଔପଚାରିକ ଭାବେ ଫଳାଫଳ ଘୋଷଣା କରିବା ବାକି ରହିଛି । ମାତ୍ର ତା’ ପୂର୍ବରୁ ପାକ୍‌ ଜନତା, ପାକ୍‌ ସେନା, ସବୁ ରାଜନୈତିକ ଦଳ ଆପଣା ଆପଣା ତାକତ୍‌ ଦେଖାଇବା ପାଇଁ ତୟାର । ଇମ୍ରାନଙ୍କ ସମର୍ଥକମାନେ ପ୍ରାୟ ୯୩ଟି ଆସନ ଦଖଲ କରିଛନ୍ତି । ନୱାଜଙ୍କ ପାର୍ଟି ୭୫ଟି ଆସନ ଜିତି ଦ୍ୱିତୀୟ ସ୍ଥାନରେ ରହିଛି ।

ଜେଲରେ ରହିବା ସତ୍ୱେ ଇମ୍ରାନଙ୍କ ପ୍ରତି ଜନାଦେଶ ଭାରି ରହିଛି । ନୱାଜ ସରିଫଙ୍କ କଳଙ୍କିତ କାରନାମାକୁ ଏ ଯାଏ ଭୁଲି ନାହାନ୍ତି ପାକ୍‌ ଜନତା । ପ୍ରଧାନମନ୍ତ୍ରୀ ହେବା ଆଶାରେ ନୱାଜ ସରିଫ ତାଙ୍କର ରାଜନୈତିକ ଶତ୍ରୁ ବିଲାବଲ ଭୁଟ୍ଟୋଙ୍କ ପିପିପି ଦଳ ସହିତ ହାତ ମିଳାଇବାକୁ ରାଜି ଅଛନ୍ତି । ନୱାଜଙ୍କ ଭାଇ ଶାହବାଜଙ୍କ ପରାମର୍ଶକୁ ବିଲାବଲ ସଂପୂର୍ଣ୍ଣ ଏଡ଼ାଇ ନାହାନ୍ତି ।

ପାକ୍‌ ଜାତୀୟ ଆସେମ୍ଲିରେ ମୋଟ ୩୩୬ଟି ଆସନ । ତା’ ଭିତରୁ ୨୬୫ଟି ଆସନରେ ନିର୍ବାଚନ ସଂପନ୍ନ ହୋଇଛି । ଗୋଟିଏ ଆସନର ନିର୍ବାଚନକୁ ଏଡ଼ାଇ ଦିଆଯାଇଛି । ଗୋଟିଏ ଆସନର ଫଳାଫଳକୁ ବାତିଲ କରି ଦିଆଯାଇଛି । ଏହାବାଦ ୭୦ଟି ଆସନ ସଂରକ୍ଷିତ । ସରକାର ଗଠନ କରିବା ପାଇଁ ୧୩୪ଟି ଆସନ ଜିତିବା ଜରୁରୀ ।