ନୂଆଦିଲ୍ଲୀ: ମୋଦି ସରକାରଙ୍କ ଆଦେଶ ମୁତାବକ ସବୁ ପ୍ରକାରର ବେଟିଂ ଆପ୍ସ ଓ ଜାଲ ଋଣପ୍ରଦାନ କାରୀ ସଂସ୍ଥାଗୁଡ଼ିକୁ ହଟାଇ ଦିଆଯିବ ।ଠକ ଋଣ ପ୍ରଦାନକାରୀ ସଂସ୍ଥା ଓ ଜୁଆ ଆପ୍ସ ବିରୋଧରେ ସରକାରଙ୍କ ପଦକ୍ଷେପ କ୍ରମେ କଠୋର ହୋଇଛି । ବେଆଇନ ଋଣ ଆପ୍ସ ଓ ଜୁଆ ଆପ୍ସକୁ ହଟାଇବା ପାଇଁ ମଙ୍ଗଳବାର ମୋଦି ସରକାର ଆଦେଶ ପ୍ରଦାନ କରିଛନ୍ତି । ଏଣିକି କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେଆଇନ ଋଣଦାତା ଓ ଜୁଆ ଆପ୍ସ ବିଜ୍ଞାପନ ଦେଖିବାକୁ ମିଳିବନି ବୋଲି କହିଛନ୍ତି ଟେଲିକମ୍ ମନ୍ତ୍ରୀ ଚନ୍ଦ୍ରଶେଖର ।
ଇତିମଧ୍ୟରେ ଆରବିଆଇ ପକ୍ଷରୁ କେୱାଇସି ପ୍ରକ୍ରିୟାକୁ ବ୍ୟାପକ କରିବା ପାଇଁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନୂତନ ଭାବେ ଜାରି କରାଯାଇଥିବା କେୱାଇସି ପ୍ରକ୍ରିୟାକୁ ‘ନୋ ୟୋର ଡିଜିଟାଲ ଫାଇନେନ୍ସ ଆପ୍’ ନାମ ଦିଆଯାଇଛି । ବିଗତ କିଛିବର୍ଷ ଧରି ବହୁ ଜାଲ ଋଣ ପ୍ରଦାନକାରୀ ସଂସ୍ଥା ସୋସିଆଲ ମିଡିଆରେ ମୁହଁ ଦେଖାଇ ଲକ୍ଷାଧିକ ଲୋକଙ୍କୁ ଠକି ସାରିଛନ୍ତି । ଠକ ସଂସ୍ଥା ହାବୁଡ଼ରେ ପଡ଼ି ଲକ୍ଷାଧିକ ଟଙ୍କା ହରାଇବା ପରେ କିଛି ଲୋକ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ।