ମୋଦି କରୋନାକୁ ପ୍ରୋତ୍ସାହନ ଦେଉନାହାନ୍ତି ତ

୪୧ଟି ଦେଶକୁ ଗ୍ରାସ କରିବା ପରେ ଭାରତରେ କରୋନା

ନୂଆଦିଲ୍ଲୀ: ବିଶ୍ୱର ପ୍ରାୟ ୪୧ଟି ଦେଶକୁ କରୋନାର ନୂଆରୂପ ଜେଏନ.୧ ଗ୍ରାସ କରି ସାରିଲାଣି । ଭାରତରେ କରୋନାର ଜେଏନ.୧ ପ୍ରଜାତି ଚନ୍ଦ୍ରକଳା ପରି ବଢ଼ିଲାଣି । ଗତ ୨୪ ଘଂଟା ଭିତରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ୬୫୬ ଜଣ ବୃଦ୍ଧି ପାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟରେ ଆରଟି-ପିସିଆର ଟେଷ୍ଟ ବଢ଼ାଇବା ପାଇଁ କୁହାଗଲାଣି । ଯେକୌଣସି ଜ୍ୱରରେ ପୀଡ଼ିତ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି । ଇତିମଧ୍ୟରେ ଗୋଆରେ ୩୪, କର୍ଣ୍ଣାଟକରେ ୮, କେରଳରେ ୬, ତାମିଲନାଡୁରେ ୪ ଓ ତେଲଙ୍ଗାନାରେ ୨ଟି କରୋନା ମାମଲା ଦୃଷ୍ଟିକୁ ଆସିଛି । ୨୦୨୨ରେ କରୋନାର ଓମିକ୍ରନ ରୂପ ପ୍ରବଳ ମାତ୍ରାରେ ବ୍ୟାପିଥିଲା । ମାତ୍ର ତାହା ଭାରତରେ ସେତେଟା ପ୍ରଭାବଶାଳୀ ନଥିଲା ।

କିନ୍ତୁ କରୋନାର ଜେଏନ.୧ ଅବତାର ଓମିକ୍ରନ ତୁଳନାରେ ଅଧିକ ପ୍ରଭାବଶାଳୀ । ତେଣୁ କୌଣସି ଧାର୍ମିକ କାର୍ଯ୍ୟକ୍ରମ ଓ ନୂଆବର୍ଷ ଭିଡ କାରଣରୁ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

ଜେଏନ.୧ ତା’ର କରାଳ ରୂପ ଦେଖାଇବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସଜାଗ ହୋଇଯିବା ଜରୁରୀ । ଅଯୋଧ୍ୟାରେ ଶ୍ରୀରାମଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ପ୍ରାୟ ୨୫ ଲକ୍ଷ ଲୋକଙ୍କ ସମାଗମ ଆଶା କରାଯାଉଛି । ଅଯୋଧ୍ୟାର ଶ୍ରୀରାମ ମନ୍ଦିରରୁ କରୋନା ଉଗ୍ର ରୂପ ଧାରଣ କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଦୃଢ଼ତାର ସହ କହିପାରିବେ କି?