ସାବଧାନ, ଏଟା ମୋଦୀଙ୍କ ଦେଶ, ବାଟ ଚାଲିଲେ ଟିକସ

ଶୌଚାଳୟ ବ୍ୟବହାର କରି ୨୨୪ ଟଙ୍କା ଗଣିଲେ ଦୁଇଜଣ…..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଦ୍ରବ୍ୟ ଓ ସେବା’ ଟିକସ ଜାଲରେ ପଡ଼ି ସାଧାରଣ ଲୋକଙ୍କୁ ନାନା ହିନସ୍ତା ଭୋଗିବାକୁ ପଡୁଛି । ଦେଶର ଟିକସ ବ୍ୟବସ୍ଥାକୁ ଭଲ ଭାବରେ ନବୁଝାଇ ସରକାରୀ ଅଧିକାରୀମାନେ ଆଖି ପିଛୁଳାକେ ଟିକସ କାଟି ଦେଉଛନ୍ତି । ଯାହା ଫଳରେ ବିନା ଟଙ୍କାରେ ରାସ୍ତା ଚାଲିବାକୁ ଡରୁଛନ୍ତି ସାଧାରଣ ଜନତା । ଷ୍ଟେସନରେ ଶୌଚାଳୟ ବ୍ୟବହାର କରିଥିବା ଦୁଇଜଣ ବିଦେଶୀ ନାଗରିକଙ୍କୁ ଗଣିବାକୁ ପଡ଼ିଛି ୨୨୪ ଟଙ୍କା । ଘଟଣା କ’ଣ ବୁଝିଲା ବେଳକୁ ଜଣାପଡ଼ିଲା, ଆଗ୍ରା କାଂଟ ଷ୍ଟେସନରେ ଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟକୁ କିଛି ସମୟ ପାଇଁ ବ୍ୟବହାର କରି ମୁଣ୍ଡପିଛା ୧୧୨ ଟଙ୍କା ଗଣିଛନ୍ତି ନୂଆଦିଲ୍ଲୀସ୍ଥିତ ବ୍ରିଟିଶ ଦୂତାବାସକୁ ଆସିଥିବା ଦୁଇଜଣ ପର୍ଯ୍ୟଟକ ।

ଶୌଚାଳୟ ବ୍ୟବହାର ଉପରେ ସେମାନଙ୍କୁ ୧୨ ପ୍ରତିଶତ ଜିଏସ୍‌ଟି ଦେବାକୁ ପଡ଼ିଛି । ଦୁଇ ପର୍ଯ୍ୟଟକ ଏ ସଂପର୍କରେ ଲାଉଞ୍ଜ ପରିଚାଳକଙ୍କ ନିକଟରେ ଅଭିଯୋଗ କରିଥିଲେ । ଲାଉଞ୍ଜ ଅଧିକାରୀ କହିଥିଲେ ଯେ ରେଳ ଅଧିକାରୀଙ୍କ ଟିକସ ବ୍ୟବସ୍ଥା ଠିକ ଅଛି । ସ୍ୱତନ୍ତ୍ର ଲାଉଞ୍ଜରେ ରହୁଥିବା ଲୋକମାନଙ୍କୁ ୫୦ ପ୍ରତିଶତ ରିହାତି ପରେ ସର୍ବନିମ୍ନ ୧୧୨ ଟଙ୍କା ଦେବାକୁ ପଡ଼ିଥାଏ । ଉକ୍ତ ଟଙ୍କା ପଇଠ ପରେ ଅତିଥିଙ୍କୁ କଫି ପରସା ଯାଇଥାଏ । ମାଗଣାରେ ୱାଇଫାଇ ସେବା ପ୍ରଦାନ କରାଯାଏ ।

ଭାରତରେ ଟିକସ ବ୍ୟବସ୍ଥା ଉପରେ ଆଶ୍ଚର୍ଯ୍ୟ ହୋଇଛନ୍ତି ଦୁଇ ବିଦେଶୀ ପର୍ଯ୍ୟଟକ । ଆଇଆରସିଟିସିର ଟିକସ ମାଡ଼ ନୂଆ ନୁହେଁ । ପୂର୍ବରୁ ଭୋପାଳ ଶତାବ୍ଦୀ ଏକ୍ସପ୍ରେସରେ ଜଣେ ଯାତ୍ରୀଙ୍କଠାରୁ ୨୦ ଟଙ୍କାର ଚା’ କପ୍‌ ଉପରେ ୫୦ ଟଙ୍କା ଶୁଳ୍କ ଆଦାୟ କରାଯାଇଥିଲା । ଯାତ୍ରୀଜଣକ ଗୋଟିଏ କପ୍‌ ଚା’ ପାଇଁ ୭୦ ଟଙ୍କା ଗଣିବାକୁ ବାଧ୍ୟ ହୋଇଥିଲେ ।