କ୍ଷମତା ପାଇଁ ବିଜେପି ପାଗଳ: ପଛକୁ ଥାଉ ପିଲାଙ୍କ ଭୋକ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନର କଦର୍ଯ୍ୟ ଚେହେରା ସାମ୍ନାକୁ ଆସିଛି । ସାତବର୍ଷର ପିଲାଟିଏ ଜଣେ ପୁଲିସ କର୍ମଚାରୀଙ୍କ ନିକଟରେ ପହଂଚି କଇଁ କଇଁ ହୋଇ କାନ୍ଦିଥିଲା । ତିନିଦିନ ହେଲା କିଛି ଖାଇନି ବୋଲି କହିଥିଲା । ସଂପୃକ୍ତ ପୁଲିସ କର୍ମଚାରୀ ପିଲାଟି ପ୍ରତି ଦୟା ପ୍ରଦର୍ଶନ କରି କିଛି ଖାଦ୍ୟ ଦେଇଥିଲେ ।

ମଠ ମନ୍ଦିର ନିର୍ମାଣ, ମାଫିଆ ଦମନ, ସଂଘ ପରିବାରକୁ ପ୍ରୋତ୍ସାହନ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁଣଗାନ ଭଳି କିଛି କାମକୁ ଛାଡ଼ିଦେଲେ, ଯୋଗୀ ଆଦିତ୍ୟନାଥଙ୍କ ପାଖରେ ଆଉ କିଛି କାମ ନାହିଁ । ୟୁପିରେ ଯେତିକି ବିଜେପି କର୍ମୀ ଅଛନ୍ତି । ସେମାନେ ସମସ୍ତେ ଯଦି ଦଳ ପ୍ରତି ଅନୁଗତ ରୁହନ୍ତେ; ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହଙ୍କୁ ଚୋରି କରିବାକୁ ପଡ଼ନ୍ତାନି । ବିଜେପିର ପ୍ରତି କର୍ମୀମାନେ ସାହିକୁ ସାହି ବୁଲି ଦୀନ ଦରିଦ୍ରଙ୍କ ଅଭାବ ଅସୁବିଧା ବୁଝି ତା’ର ନିିରାକରଣ କରିବା ଉଚିତ ।

କିନ୍ତୁ କ୍ଷମତାକୁ ଚାଲିଯିବା ପରେ ତୁ କିଏ ମୁଁ କିଏ? ଆମେ ଯୋଉ ଅସହାୟ ପିଲାଟିର କଥା କହୁଛୁ । ତା’ର ବାପା ପରଲୋକରେ, ମା’ ବେମାର । ସାତବର୍ଷର ପିଲାଟି ପେଟର ଭୋକ କେତେଦିନ ସମ୍ଭାଳି ପାରିବ । ହାତ ପତାଇ ମାଗିଲା, କେହି ସାହାଯ୍ୟ କଲେନି । ଘଟଣାଟି ସାମ୍ନାକୁ ଆସିବା ପରେ ଯୋଗୀ ଅଧିକାରୀଙ୍କ ନିଦ ଭାଙ୍ଗିଛି । ଜିଲ୍ଲା ଅଧିକାରୀ ସଦଳବଳେ ପିଲାଟି ନିକଟରେ ପହଂଚି ସହାୟତାର ହାତ ବଢ଼ାଇଛନ୍ତି ।

ଉତରପ୍ରଦେଶ ଅନ୍ତର୍ଗତ ଚୁନାରୀ ତହସିଲରେ ରହୁଥିବା ସାତବର୍ଷ ବୟସର ପିଲା ସୁଦାମକୁ ମୁଖ୍ୟମନ୍ତ୍ରୀ ବାଳ କଲ୍ୟାଣ ଯୋଜନାର ହିତାଧିକାରୀ ଭାବେ ଚୟନ କରାଯାଇଛି । ତାକୁ ଏବେ ଅସ୍ଥାୟୀ ଥଇଥାନ କରାଯାଇଛି । ରାସନ ଯୋଗାଇ ଦିଆଯାଇଛି ।