ଶବାଗାରରୁ ଶବ କହିଲା, ମୁଁ ବଂଚିଛି

କାହାକୁ ଭୁଲ ଦେବାର ନାହିଁ । ବେଳେବେଳେ ଏମିତି ହୋଇଯାଏ । ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ପର୍ଯ୍ୟନ୍ତ ମୃତଦେହକୁ ଶବାଗାରରେ ରଖାଯାଏ । ଶବାଗାରରେ କାମ କରୁଥିବା ଲୋକମାନେ ଭାରି ସାହସୀ । କିନ୍ତୁ ଅଚାନକ ଗୋଟିଏ ଶବ ମୁହଁରୁ ‘ମୁଁ ବଂଚିଛି’ ଶୁଣିବା କ୍ଷଣି କର୍ମଚାରୀଙ୍କ ହାଲତ କ’ଣ ହୋଇଥିବ?

ଘଟଣାଟି ବ୍ରାଜିଲର ସାଓ ଜୋସେ ରିଜିଓନାଲ ହସ୍ପିଟାଲରେ ଘଟିଛିି । ୯୦ ବର୍ଷୀୟା ନୋର୍ମା ସିଲଭେରାଙ୍କର ନଭେମ୍ବର ୨୫ ତାରିଖରେ ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କୁ ହସ୍ତାନ୍ତର ପର୍ଯ୍ୟନ୍ତ ମୃତଦହକୁ ଶବାଗାରରେ ରଖାଯାଇଥିଲା । ମୃତଦେହ ରଖାଯିବାର କିଛି ଘଂଟା ପରେ ଜଣେ କର୍ମଚାରୀ ସେଠାରେ ପହଂଚି ଶବମୁଣାକୁ ଖୋଲିଥିଲେ । ମୃତ ଘୋଷିତ ନୋର୍ମାଙ୍କ ଶ୍ୱାସକ୍ରିୟା ଚାଲୁଥିବାର ଅନୁଭବ କଲେ ।

କ୍ଷଣଟିଏ ଅପେକ୍ଷା ନକରି ଧାଇଁଲେ ଡାକ୍ତରଙ୍କ ନିକଟକୁ । ସବୁ ଶୁଣିବା ପରେ ଡାକ୍ତର ଧାଇଁଲେ ଶବାଗାର । ନୋର୍ମାଙ୍କୁ ପରୀକ୍ଷା କରି ସେ ଜୀବିତ ବୋଲି ଜାଣିବାକୁ ପାଇଲେ । ୨୫ ତାରିଖରେ ମୃତ ଘୋଷିତ ନୋର୍ମା ଆହୁରି ଦୁଇଦିନ ଯାଏ ଅର୍ଥାତ୍‌ ୨୭ ତାରିଖ ଯାଏ ଡାକ୍ତରଙ୍କ ତତ୍ୱାବଧାନରେ ଜୀବିତ ରହିଲେ ।

ଏଭଳି ଘଟଣା ଭାରତରେ ଘଟିବା ଅସମ୍ଭବ ନୁହେଁ । ମନେ ପଡ଼ିଯାଏ, ଭାରତର ବର୍ଷୀୟାନ୍‌ ରାଜନେତା ଜୟପ୍ରକାଶ ନାରାୟଣଙ୍କ ବିଷୟ । ଲୋକପ୍ରିୟ ରାଜନେତା ଜୟପ୍ରକାଶ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲାବେଳେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ତାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ।

ଜୟପ୍ରକାଶଙ୍କ ନାଡ଼ି ବନ୍ଦ ହୋଇଯିବା ଅନୁଭବ କରି ‘ଜୟପ୍ରକାଶଜୀ ଆଉ ନାହାନ୍ତି’ ବୋଲି ମୋରାରଜୀଙ୍କ ପାଟିରୁ ବାହାରି ପଡ଼ିଲା । ପାଖରେ ଠିଆ ହୋଇଥିଲେ ଗଣମାଧ୍ୟମ ପ୍ରତିନିଧିଗଣ । ଚଟାପଟ୍‌ ଖବର ପ୍ରଚାର ହୋଇଗଲା ।
ଡାକ୍ତରମାନେ ଜୟପ୍ରକାଶଙ୍କୁ ପରୀକ୍ଷା କରିବାର କିଛି ସମୟ ଭିତରେ ଶ୍ୱାସକ୍ରିୟା ଚାଲିଲା । ଜୟପ୍ରକାଶ ବଂଚିଥିବା କଥା ପଦାକୁ ଆସିବା ପରେ ବିଚରା ମୋରାରଜୀଙ୍କୁ ବହୁତ ଅପବାଦ ଶୁଣିବାକୁ ପଡ଼ିଥିଲା ।