ନିର୍ବାଚନ: ସ୍ୱାଧିନ, ବିଦ୍ରୋହୀ ପ୍ରାର୍ଥୀ କୁଲୁକୁଲୁ

ସରିଛି ପାଂଚଟି ରାଜ୍ୟରେ ମତଦାନ । ଡିସେମ୍ବର ୩ ତାରିଖ ଦିନ ଫଳାଫଳ ପ୍ରକାଶ ପାଇବ । ଦୁଇ ପ୍ରମୁଖ ଜାତୀୟ ରାଜନୈତିକ ଦଳ ଓ ତାଙ୍କର ସହଯୋଗୀ ଦଳଗୁଡ଼ିକ ମନରେ ପ୍ରକାଶ ପାଇଛି ନାନା ଉକ୍ରଣ୍ଠା । ଭୋଟ ଗଣତି ଦିନ ଯେତିକି ପାଖେଇ ଆସୁଛି । ଛୋଟବଡ଼ ସବୁ ପ୍ରାର୍ଥୀଙ୍କ ଛାତିର ସ୍ପନ୍ଦନ ସେତିକି ବଢ଼ିଯାଉଛି ।

assembly-telangana
assembly-telangana

କୋଉ ରାଜ୍ୟରେ କୋଉ ଦଳ ସରକାର ଗଢ଼ିବ । ତାକୁ କେନ୍ଦ୍ର କରି ବିଭିନ୍ନ ଜାତୀୟ ଓ ଆଂଚଳିକ ଗଣମାଧ୍ୟମ ପୂର୍ବାନୁମାନ କରିଛନ୍ତି । ସବୁ ପୂର୍ବାନୁମାନକୁ ଏକାଠି କରି ଗୋଳାଇଦେଲେ ଗୋଟିଏ କଥା ସାମ୍ନାକୁ ଆସିଛି ।
ପାଂଚଟି ରାଜ୍ୟର ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ତୁଲାଇବେ ସ୍ୱାଧିନ ପ୍ରାର୍ଥୀ ଓ ବିଦ୍ରୋହୀ ପ୍ରାର୍ଥୀ । ସରକାର ଗଠନ ଆଶାରେ କଂଗ୍ରେସ ଓ ବିଜେପି ପକ୍ଷରୁ ସ୍ୱାଧିନ ଓ ବିଦ୍ରୋହୀ ପ୍ରାର୍ଥୀଙ୍କ ସହିତ ଯୋଗାଯୋଗ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ସ୍ୱାଧିନ ଓ ବିଦ୍ରୋହୀ ପ୍ରାର୍ଥୀମାନେ ନିର୍ବାଚନ ପରିଣାମକୁ ଅପେକ୍ଷା କରିଛନ୍ତି । ହାରଜିତକୁ ନେଇ ସେମାନେ ଆପଣା ଦର କଷିବେ ।

ପୂର୍ବ ସୂଚନା ମୁତାବକ ରାଜସ୍ଥାନରେ ବିଜେପିର ୩୨ ଟିକେଟ୍‌ ଆଶାୟୀ ଓ କଂଗ୍ରେସର ୨୨ ଟିକେଟ୍‌ ଆଶାୟୀ ନିର୍ବାଚନରେ ପ୍ରାର୍ଥୀ ହୋଇ ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ଫିକା କରିଛନ୍ତି । ମଧ୍ୟପ୍ରଦେଶରେ ବିଜେପି ଓ ଛତିଶଗଡ଼ରେ କଂଗ୍ରେସ କ୍ଷମତାକୁ ଫେରିବାର ସମ୍ଭାବନା ରହିଛି । ମାତ୍ର ରାଜସ୍ଥାନ ସ୍ଥିତି ଗୋଳମାଳିଆ ।

ଜଣାଇ ଦିଆଯାଉଛି, ୨୦୧୮ରେ ସ୍ୱାଧିନ ଓ ବିଦ୍ରୋହୀ ବିଧାୟକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କଂଗ୍ରେସକୁ ୧୦୦ ଓ ବିଜେପିକୁ ୭୩ ଆସନ ମିଳିଥିଲା । ସଚିନ ପାଇଲଟ ଓ ଅଶୋକ ଗେହଲଟ ମିଳିତ ଭାବେ ୧୨ ଜଣ ବିଦ୍ରୋହୀ ଓ ସ୍ୱାଧିନ ବିଧାୟକଙ୍କୁ ମନାଇ ସରକାର ଗଠନ କରିଥିଲେ ।

ଇତି ମଧ୍ୟରେ ରାଜସ୍ଥାନର ବିଜେପି ନେତ୍ରୀ ବସୁନ୍ଧରା ରାଜେ ବିଜେପିର ସବୁ ବିଦ୍ରୋହୀ ପ୍ରାର୍ଥୀଙ୍କ ସହିତ ଆଲୋଚନା ଶେଷ କରିଛନ୍ତି । ଅଶୋକ ଗେହଲଟ୍‌ ମଧ୍ୟ ତାଙ୍କ ଦଳର ବିଦ୍ରୋହୀଙ୍କୁ ମନାଇବା ଆରମ୍ଭ କରିଛନ୍ତି ।

ସୂଚନା ଥାଉକି , ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ‌ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଫଳାଫଳ ଆସିଯାଇଛି। ୩ ରାଜ୍ୟରେ ବିଜେପି ବିଜୟ ଲାଭ କରି ସରକାର ଗଢ଼ିବାକୁ ଯାଉଥିବା ‌ବେଳେ ଅନ୍ୟଟିରେ କଂଗ୍ରେସ ବିଜୟ ହାସଲ କରିଛି।