କାହାର ହେବ ଅନୁଗୁଳ? ଚାଲିଛି ଜୋରଦାର ଲଢେଇ.। କଣ ରହିବା ରାଜନୀତି ସମୀକରଣ ଦେଖନ୍ତୁ..

ବଦଳିବ କି ସମୀକରଣ?

ସାକସି  ନ୍ୟୁଜ୍ ବ୍ୟୁରୋ: ଦେଶରେ ଚାଲିଛି ଗଣତନ୍ତ୍ରର ମହାପର୍ବ। ଓଡ଼ିଶାରେ ମଧ୍ୟ କିଛି ଦିନ ପରେ ଆରମ୍ଭ ହେବ ସଧାରଣ ନିର୍ବାଚନ। ତିନି ପ୍ରମୁଖ ଦଳ ପ୍ରଚାର ପ୍ରସାର ଚଳାଇଛନ୍ତି। ନିଜ ନିଜର ଗଡ ବଜାୟ ରଖିବା ପାଇଁ କସରତ କରୁଛନ୍ତି। ଜୋରସୋରରେ ଚାଲିଛି ପ୍ରଚାର । ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳୀରେ ଭିନ୍ନ ଭିନ୍ନ ଲଢେଇ ଦେଖିବାକୁ ମିଳୁଛି। ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏଥର ଏକ ରୋଚକ ଲଢେଇ ହେବ । ଏଠି ହେବ କୋଟିପତି- ଲକ୍ଷପତି ଲଢେଇ । ସଂଯୁକ୍ତା-ପ୍ରତାପ- ଅମ୍ବିକାଙ୍କ ମଧ୍ୟରେ ହେବ ହାଇଭୋଲଟେଜ ଟକ୍କର। ବିଜେପିରୁ ପ୍ରତାପ ଚନ୍ଦ୍ର ପ୍ରଧାନ, କଂଗ୍ରେସରୁ ଅମ୍ବିକା ଭଟ୍ଟ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡ଼ି ବିଧାୟକ ରଜନୀକାନ୍ତ ସିଂହଙ୍କ ପତ୍ନୀ ସଂଯୁକ୍ତା ସିଂଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଛି।

କାହାର ହେବ ଅନୁଗୁଳ ବିଧାନସଭା ଆସନ ? କାହା ସପକ୍ଷରେ ଯିବ ଜନମତ ? ସମସ୍ତ ପ୍ରାର୍ଥୀ ଏବେ ଗ୍ରାଉଣ୍ଡରେ ଜୋରସୋରରେ ଚଳାଇଛନ୍ତି କ୍ୟାମ୍ପେନ। ଗାଁ ଗାଁରେ ସଭା, ସମ୍ମିଳନୀ କରି ଜନ ସମର୍ଥନ ଗୋଟାଉଛନ୍ତି ତିନି ଦଳର ପ୍ରାର୍ଥୀ। ବିଜେଡି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ପ୍ରଚାର କରୁଛି। ଗତ ନିର୍ବାଚନରେ କଡ଼ା ଟକ୍କର ଦେଇ ପରାଜିତ ହୋଇଥିବା ବିଜେପିର ପ୍ରତାପ ଚନ୍ଦ୍ର ପ୍ରଧାନ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି। ଏପଟେ ବିଜେଡି ଓ ବିଜେପିର କଡ଼ା ମୁକାବିଲା ଦେଖିବାକୁ ଅନୁଗୁଳ ଅପେକ୍ଷା କରିଥିବା ବେଳେ କଂଗ୍ରେସ ନେଇପାରେ ନିର୍ଣ୍ଣାୟକ ଭୂମିକା। ପୁରୁଖା ତଥା ଅଭିଜ୍ଞ ନେତା ଅମ୍ବିକା ପ୍ରସାଦ ଭଟ୍ଟ ଚଳିତଥର ମୈଦାନକୁ ଓହ୍ଲାଇବା ସହ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଜୋରଦାର କସରତ ଆରମ୍ଭ କରିଛନ୍ତି।

୨୦୧୯ରେ ବିଜେଡିର ରଜନୀକାନ୍ତ ସିଂହ କ୍ରମାଗତ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିଲେ। ରଜନୀକାନ୍ତ ୬୫ ହଜାର ୩୮୮ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ପ୍ରତାପ ଚନ୍ଦ୍ର ପ୍ରଧାନ ୫୬ ହଜାର ୫୬୫ ଖଣ୍ଡ ଭୋଟ୍ ପାଇଁ ଦ୍ୱିତୀୟ ସ୍ଥାନ ଓ କଂଗ୍ରେସର ବିପ୍ଳବ କୁମାର ଜେନା ୩୦ ହଜାର ୫୭୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।

ଏଥର କିନ୍ତୁ ପ୍ରାର୍ଥୀ ବଦଳାଇଛନ୍ତି ବିଜେଡି-କଂଗ୍ରେସ । କଂଗ୍ରେସ ବିପ୍ଳବ କୁମାର ଜେନାଙ୍କୁ ବାଦ ଦେଇ ଅମ୍ବିକା ପ୍ରସାଦ ଭଟ୍ଟଙ୍କ ଉପରେ ଭରସା କରିଛି । ଏବଂ ବିଜେଡି ରଜନୀକାନ୍ତ ସିଂହଙ୍କ ପତ୍ନୀ ସଂଯୁକ୍ତା ସିଂହଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଛି । ଅମ୍ବିକା କୋଟିପତି ହୋଇଥିବା ବେଳେ ପ୍ରତାପ ଚନ୍ଦ୍ର ପ୍ରଧାନ ହେଉଛନ୍ତି ଲକ୍ଷପତି। ସେପଟେ ସଂଯୁକ୍ତା ହେଉଛନ୍ତି ପନ୍ଦର ଲକ୍ଷ ଟଙ୍କାର ସୁନାର ଅଧିକାରିଣୀ ।

ନିର୍ବାଚନ ବୈତରଣୀ ପାର ହେବା ନେଇ ଏବେ ପ୍ରମୁଖ ତିନି ଦଳର ପ୍ରାର୍ଥୀ ଆରମ୍ଭ କଲେଣି କସରତ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ଓ କୃଷକଙ୍କ ସମସ୍ୟା ସହ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ନ ମିଳିବା ଏବଂ ବିସ୍ଥାପନ ସମସ୍ୟା ନିର୍ବାଚନରେ ପ୍ରମୁଖ ଫ୍ୟାକ୍ଟର ରୂପେ କାମ କରିବ। ଛକାପଞ୍ଝା ରାଜନୀତି ଅନୁଗୁଳ ଲଢ଼େଇକୁ ରୋଚକ କରିଥିବା ବେଳେ ଜନମତ କାହା ସପକ୍ଷରେ ଯିବ, ତାହା ଉପରେ ସମସ୍ତଙ୍କ ନଜର।