କରୋନା ଟିକା ବିତରଣର ସ୍ପଷ୍ଟୀକରଣ ମାଗିଲେ ରାହୁଲ-shaksi news

ନୂଆଦିଲ୍ଲୀ: କରୋନା ଟିକା ସମସ୍ତ ଦେଶବାସୀଙ୍କୁ ମିଳିବନି ବୋଲି କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ଏହି ସ୍ପଷ୍ଟୀକରଣକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିବା ସହ ଟ୍ୱିଟ୍ କରି ସରକାରର ଦୋମୁହାଁ ନୀତି ପଦାରେ ପଡ଼ିଛି ବୋଲି କହିଛନ୍ତି।

ତେବେ ନିକଟରେ ବିହାର ବିଧାନସଭା ନିର୍ବାଚନ ବେଳେ ବିଜେପି ପ୍ରତିଶ୍ରୁତି ଦେଇଥିଲା ତାଙ୍କ ଦଳ ବିଜୟୀ ହେଲେ ସମସ୍ତ ବିହାର ବାସୀଙ୍କୁ କରୋନା ଟିକା ମିଳିବ। ପ୍ରଧାନମନ୍ତ୍ରୀ ମଧ୍ୟ କହିଛନ୍ତି ସମସ୍ତଙ୍କୁ କରୋନା ଟିକା ମିଳିବ। ଏବେ କେନ୍ଦ୍ର ସରକାର କହିଛନ୍ତି ସମସ୍ତଙ୍କୁ କରୋନା ଟିକା ମିଳିବନି। ଏହି ସବୁ କଥାକୁ ଆଧାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ଘେରିଛନ୍ତି ରାହୁଲ୍ ଗାନ୍ଧୀ। ତେବେ ପ୍ରଧାନମନ୍ତ୍ରୀ ଟିକାକୁ ନେଇ ଅସଲରେ କେଉଁ ଆଭିମୁଖ୍ୟ ରଖିଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ରାହୁଲ୍ ଟ୍ୱିଟ୍ କରି ପଚାରିଛନ୍ତି।

ଏନେଇ ବୁଧବାର କଂଗ୍ରେସ ଟ୍ୱିଟ୍ କରି କହିଛି, ସମସ୍ତଙ୍କୁ କରୋନା ଟିକା ମିଳିବ ବୋଲି କହିଥିଲେ। ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ସମସ୍ତଙ୍କୁ କରୋନି ଟିକା ମିଳିବନି। ତାହାଲେ ମୋଦିଙ୍କ କଥା ‘ଜୁମଲା’ ବୋଲି ସାବ୍ୟସ୍ତ ହୋଇଛି। ଏଥିସହ ‘ୟୁଟର୍ଣ୍ଣ ସରକାର’ ବୋଲି କହିଛି କଂଗ୍ରେସ। ତେଣୁ ବର୍ତ୍ତମାନ କେନ୍ଦ୍ର ସରକାର ଏହାକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର। ଦେଶବାସୀ କରୋନା ଟିକା ବାବଦରେ ଜାଣିବା ଦରକାର। ନଚେତ ଟିକା ପାଇଁ ଆତ୍ମନିର୍ଭର ହେବା ଦରକାର କି ବୋଲି କଂଗ୍ରେସ ଟ୍ୱିଟ୍ କରିଛି।

ଏଠାରେ ପ୍ରକାଶ ଥାଉକି , କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର କହିଥିଲେ କରୋନା ଲଢ଼େଇ ପାଇଁ ସାରା ଦେଶକୁ ଟିକା ଦେବାର ଆବଶ୍ୟକତା ନାହିଁ। ଯଦି ଜଣେ ଗୁରୁତର ରହିଛି ତାହେଲେ ସେ ହିଁ ଟିକା ନେବେ ବୋଲି କହିଥିଲେ। ସମସ୍ତ ଦେଶବାସୀଙ୍କୁ କରୋନା ଟିକା ମିଳିବ ବୋଲି ସରକାର କହି ନାହାନ୍ତି ବୋଲି ସେ କହିଥିଲେ।