ଚୀନରେ ଭୟଙ୍କର ବନ୍ୟା: ୩୩ ମୃତ

ବେଜିଂ: ଚୀନରେ ପ୍ରବଳ ବର୍ଷା ଯୋଗୁଁ ହେନାନ ପ୍ରଦେଶରେ ଭୟଙ୍କର ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି । ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୩୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଅଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି । ବନ୍ୟା ପ୍ରଭାବିତ ହେନାନ ପ୍ରଦେଶରୁ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ବନ୍ୟାଜଳ ନିଷ୍କାସନ ପାଇଁ ଚୀନ ସେନା ବାହିନୀ ଏକ ଡ୍ୟାମକୁ ଉଡ଼ାଇ ଦେଇଛନ୍ତି । ଜିନଜିଆଙ୍ଗରେ ପ୍ରବଳ ବର୍ଷା ଯୋଗୁଁ ୪ଲକ୍ଷରୁ ଅଧିକ ଲୋକ ଏବଂ ୫୫,୦୦୦ ହେକ୍ଟରରୁ ଅଧିକ ଫସଲ ପ୍ରଭାବିତ ହୋଇଛି । ୭୬,୦୦୦ରୁ ଅଧିକ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଜଣାଯାଇଛି । ହେନାନର ରାଜଧାନୀ ଝେଙ୍ଗଝୁରେ ୨୪ ଘଣ୍ଟାରେ ରେକର୍ଡ ୪୫୭.୫ ମିଲିମିଟର ବର୍ଷା ହୋଇଛି । ବନ୍ୟା ଯୋଗୁଁ ସମଗ୍ର ମହାନଗରଟି ଜଳମଗ୍ନ ହୋଇଯାଇଛି । ବିଭିନ୍ନ ସର୍ବସାଧରଣ ସ୍ଥାନ, ଟନେଲ, ମେଟ୍ରୋ ରେଳ ଷ୍ଟେସନ, ସବୱେ ଆଦିରେ ପାଣି ପଶିଯାଇଛି ।