କଂଗ୍ରେସ ପରାଜୟରେ ନୀତୀଶ-ଲାଲୁ କୁତୁକୁତୁ

ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସର ଶୋଚନୀୟ ସ୍ଥିତି ଦେଖିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଲାଲୁ ଯାଦବ ମନେମନେ କୁରୁଳି ଉଠିଛନ୍ତି । ନୀତୀଶ ଓ ଲାଲୁଙ୍କ ପରାମର୍ଶକୁ କାନରେ ପୁରାଇ ନଥିଲା କଂଗ୍ରେସ । ନବଗଠିତ ‘ଇଣ୍ଡିଆ’ ଗୋଠର ନେତୃତ୍ୱ ଆସନରେ କଂଗ୍ରେସକୁ ବସାଇ ନୀତୀଶ ଓ ଲାଲୁ ଆପଣା ଗୋଟି ଚଳାଇବାକୁ ଚାହୁଁଥିଲେ । କିନ୍ତୁ ସୋନିଆ ଓ ରାହୁଲ ତାକୁ ନାପସନ୍ଦ କରିଥିଲେ ।

ସୋନିଆଙ୍କ ପ୍ରସ୍ତାବ ଶୁଣି ନୀତୀଶ ଚୁପ ରହିଗଲେ । ବିଧାନସଭା ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇ ପାରିଲାନି କଂଗ୍ରେସ । ଏବେ ଇଣ୍ଡିଆ ଗୋଠର ସେନାପତି ପଦଟି ନୀତୀଶଙ୍କ ହାତକୁ ଆସିବା ଏକପ୍ରକାର ନିଶ୍ଚିତ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ୟୁପି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆନ୍ଧ୍ର ପ୍ରଦେଶର ଚନ୍ଦ୍ରବାବୁ ନାଇଡୁ ଓ ତାମିଲନାଡୁର ଷ୍ଟାଲିନଙ୍କ ସହିତ ହାତ ମିଶାଇ ଇଣ୍ଡିଆ ଗୋଠକୁ ଜିତାଇବା ମୁଡରେ ନୀତୀଶ ଅଛନ୍ତି ।

୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଗଠିତ ଇଣ୍ଡିଆ ଗୋଠ’ର ଅନ୍ତିମ ବୈଠକ ତିନିମାସ ତଳେ ହୋଇଥିଲା । ତା’ ପରଠାରୁ ଆଜି ଯାଏ ଗୋଟିଏ ମଧ୍ୟ ବୈଠକ ହୋଇନି । ନଭେମ୍ବର ୨ ତାରିଖ ପାଟନା ବୈଠକରେ ଯୋଗଦାନ କରି ନୀତୀଶ କୁମାର କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ । ୫ଟି ରାଜ୍ୟର ବିଧାନସଭା ନିର୍ବାଚନ କାରଣରୁ ଇଣ୍ଡିଆ ଗୋଠର ବୈଠକ ସ୍ଥଗିତ ରହିଛି । ଆଗାମୀ ମାସକ ଭିତରେ ବୈଠକ ହେବାର ସମ୍ଭାବନା ଅଛି ।