କଂଗ୍ରେସ ଅଧ୍ୟକ୍ଷ ଟ୍ରାକ୍ରେ ଅଶୋକ ଓ ଶଶି
ଥରୁରଙ୍କୁ ସୋନିଆ ଗାନ୍ଧୀଙ୍କ ସବୁଜ ସଂକେତ
ରାହୁଲଙ୍କୁ ଭେଟିବା ପରେ କହିବେ ଗେହଲଟ୍……
ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ପରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବଡ଼ ଧରଣର ପ୍ରସ୍ତୁତି ଆରମ୍ଭ ହୋଇଛି । ସୋନିଆ ଗାନ୍ଧୀଙ୍କ ଆଶୀର୍ବାଦ ପାଇବା ପରେ କଂଗ୍ରେସ ନେତା ଶଶି ଥରୁର ଅଧ୍ୟକ୍ଷ ପଦ ପାଇଁ ମଇଦାନକୁ ଓହ୍ଲାଉଛନ୍ତି । ତେବେ କଂଗ୍ରେସର ଗୋଟିଏ ଗୋଷ୍ଠୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କୁ ଅଧ୍ୟକ୍ଷ କରିବା ପାଇଁ ଅଂଟା ଭିଡିଛି । ମାତ୍ର ଖୋଦ୍ ଅଶୋକ ଅଧ୍ୟକ୍ଷ ପଦ ପାଇଁ ରାହୁଲଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି ।
ସେ କହିଛନ୍ତି, ଅଧିକାଂଶ କଂଗ୍ରେସ ମୁଖ୍ୟମନ୍ତ୍ରୀ ରାହୁଲଙ୍କ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି । ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ହୁଅନ୍ତୁ ବୋଲି ବହୁ କଂଗ୍ରେସ ନେତାଙ୍କ ଇଛା । କିନ୍ତୁ ୨୦୧୯ ନିର୍ବାଚନ ଫଳାଫଳରେ ମର୍ମାହତ ହୋଇ ରାହୁଲ ଯେଭଳି ଅଧ୍ୟକ୍ଷ ପଦତ୍ୟାଗ କଲେ । ସେଥିରେ ବହୁ କଂଗ୍ରେସ ନେତା ଗଭୀର ଅସନ୍ତୋଷ ପ୍ରକଟ କରିଥିଲେ । ଅକ୍ଟୋବର ୧୭ ତାରିଖରେ ଅଧ୍ୟକ୍ଷ ପଦ ପାଇଁ ମତଦାନ କରାଯିବାକୁ ଥିଲାବେଳେ ଆଗାମୀ ସୋମବାର ମନୋନୟନ ପତ୍ର ଦାଖଲ କରାଯିବ ।
ଅଶୋକ ଗେହଲଟ୍ କହିଛନ୍ତି ଯେ ରାହୁଲଙ୍କ ସହ କଥା ହେବାପରେ ସେ ମନୋନୟନ ପତ୍ର ଦାଖଲ କରିବେ କି ନା’, ନିଷ୍ପତି ନେବେ । ୭୧ ବର୍ଷୀୟ ଗେହଲଟ୍ଙ୍କୁ ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରି ସଚିନ୍ ପାଇଲଟ୍ ବେଶ କିଛି ସମୟ ପାଇଁ ମୁଖ୍ୟମନ୍ତ୍ରୀ ପଦବୀରେ ରହିବାକୁ ଆଶା ପୋଷଣ କରିଛନ୍ତି । ମାତ୍ର ଖୋଦ୍ ଅଶୋକ ଗେହଲଟ୍ କଂଗ୍ରେସ ଅଧ୍ୟକ୍ଷ ହେବାକୁ ରାଜି ନୁହନ୍ତି । ସେ ଆହୁରି କିଛି ସମୟ ମୁଖ୍ୟମନ୍ତ୍ରୀ ଆସନ ଉପଭୋଗ କରିବାକୁ ଚାହୁଁଛନ୍ତି ।
ଯଦିଓ ଗେହଲଟ୍ କେନ୍ଦ୍ର ରାଜନୀତିକୁ ଯାଆନ୍ତି; ତାଙ୍କର ଅନୁଗତଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇପାରନ୍ତି । ସେଭଳି ହେଲେ, ଗେହଲଟ୍ କଂଗ୍ରେସ ଅଧ୍ୟକ୍ଷ ପଦରେ ଥାଇ ମଧ୍ୟ ରାଜସ୍ଥାନ ଶାସନ କରିପାରିବେ । ଅଶୋକଙ୍କ ଉପରେ ସୋନିଆ ଗାନ୍ଧୀଙ୍କ କୃପା ଦୃଷ୍ଟି ଅଧିକ ଥିବାରୁ ସଚିନ୍ ପାଇଲଟ୍ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଅଶୋକଙ୍କ ସହମତି ବିନା ସଚିନଙ୍କ ମୁଖ୍ୟମନ୍ତ୍ରୀ ହେବାର ଆଶା ପୂରଣ ହେବାର ସମ୍ଭାବନା ନାହିଁ । ଅଶୋକଙ୍କ ଆନୁଗତ୍ୟ ଉପରେ କାହାର ସନ୍ଦେହ କରିବାର ନାହିଁ ।
କିନ୍ତୁ ମନମୋହନ ସିଂହଙ୍କ ଭଳି ଦ୍ୱିତୀୟ ନିରୀହ ପ୍ରାଣୀଟିଏ ସୋନିଆ ଗାନ୍ଧୀଙ୍କୁ ମିଳିବନି । ମନମୋହନ ପ୍ରଧାନମନ୍ତ୍ରୀ ଥିଲାବେଳେ ରାହୁଲ ଗାନ୍ଧୀ ସୁପର ପ୍ରଧାନମନ୍ତ୍ରୀ ପଦବୀ ଉପଭୋଗ କରୁଥିଲେ । ମନମୋହନଙ୍କ ଅଫିସ୍ରେ ବସି ରାହୁଲ ସରକାରୀ ଅଧିକାରୀଙ୍କୁ ଡାକି ଫାଇଲ୍ ମଗାଇବା ସହ ଅନ୍ୟାନ୍ୟ ବିଷୟରେ ଆଲୋଚନା କରନ୍ତି । ଶୁଣିବାକୁ ମିଳୁଛି, ରାହୁଲ ଅଧ୍ୟକ୍ଷ ପଦରେ ରହିବା ପାଇଁ ମନା କରିବାରୁ ଅଗତ୍ୟା ସୋନିଆ ଗାନ୍ଧୀ ଶଶି ଥରୁରଙ୍କୁ ଅଧ୍ୟକ୍ଷ ପଦ ପାଇଁ ଲଢ଼ିବାକୁ କହିଛନ୍ତି । ବରିଷ୍ଠ ନେତା ଅଶୋକ ଗେହଲଟ୍ ଏ ବିଷୟ ପ୍ରତି ଦୃଷ୍ଟି ଦେବା ଦରକାର ।