ପଞ୍ଜାବ ଜନତା ମାଙ୍କଡ଼ ହାତରେ ଶାଳଗ୍ରାମ!

ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ ଅପମାନିତ କରିବା ଷଡ଼ଯନ୍ତ୍ର!

ଆପ୍‌ ନେତାଙ୍କୁ ଅପଦସ୍ତ ପଛରେ କୋଉ ଦଳ!….

ନୂଆଦିଲ୍ଲୀ: ‘ଗୋଟିଏ ବିମାନ ସେବା ପ୍ରଦାନକାରୀ ସଂସ୍ଥାର ଏତେବଡ଼ ସାହସ ଭାରତର ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଅପଦସ୍ତ କରିବ । ବିନା କାରଣରେ ବିମାନରୁ ବାହାର କରିଦେବ । ପଞ୍ଜାବ ଜନତା ମାଙ୍କଡ଼ ହାତରେ ଶାଳଗ୍ରାମ ଦେଇନାହାନ୍ତି ତ? ମୁଖ୍ୟମନ୍ତ୍ରୀ ହେବାପରେ ଭଗବନ୍ତ ବେଶି ଅହଙ୍କାରୀ ହୋଇ ଯାଇନାହାନ୍ତି ତ? ବିମାନ ପରିଚାରିକା କି ଅନ୍ୟ ଯାତ୍ରୀଙ୍କୁ ଅସଦାଚରଣ କରିନାହାନ୍ତି ତ? ଏହିଭଳି ବହୁ ପ୍ରଶ୍ନ ମନକୁ ଆସୁଛି ।

ପ୍ରକୃତ ଘଟଣା ବିମାନରେ ଯାତ୍ରା କରୁଥିବା ଲୋକମାନେ ଅଥବା ବିମାନର କର୍ମଚାରୀମାନେ ଜାଣନ୍ତି । ଏହି ଦୁଇଗୋଷ୍ଠୀଙ୍କ ବିନା ଅନ୍ୟ କେହି ସତ ଘଟଣା ଜାଣନ୍ତିନି । ତହୁଁ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍‌ଙ୍କ ସପକ୍ଷରେ ହୁଅନ୍ତୁ କି ବିପକ୍ଷରେ ।’ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏନ୍‌ୟୁବିସି ନେତା ସୀତାରାମ ବେହେରା । ସେ ପୁଣି କହିଛନ୍ତି କି, ବିଦେଶରେ ଜଣେ ଭାରତୀୟ ନେତାଙ୍କୁ ହିନସ୍ତା କରାଯିବା ଘଟଣାରେ ସାରା ଦେଶ ପ୍ରତିବାଦ କରିବା ଦରକାର । କିନ୍ତୁ ଆପଣା ସୁନା ଭେଣ୍ଡି ହୋଇଥିଲେ; ତାକୁ ଦ୍ୱିତୀୟ ଥର ପାଇଁ ବିଦେଶ ଯାତ୍ରାକୁ ଅନୁମତି ଦିଆଯିବା ଅନୁଚିତ । ବିଦେଶକୁ ଯାଇ ସେଠାରେ ମାତାଲ ହୋଇ ଭାରତର ସୁନାମକୁ ମାଟିରେ ମିଶାଇବାର ଅଧିକାର କୌଣସି ଭାରତୀୟଙ୍କର ନାହିଁ ।

ଏହି ଘଟଣାରେ ଭାରତ ସରକାର ତୁରନ୍ତ ହସ୍ତକ୍ଷେପ କରିବା ଦରକାର । ଅପମାନ ପାଇଥିବା ନେତା ଯୋଉ ରାଜନୈତିକ ଦଳର ହୁଅନ୍ତୁ ନା କାହିଁକି, କେନ୍ଦ୍ରରେ କ୍ଷମତାସୀନ ଦଳ ବା ମେଂଟ ଉଦାର ମନୋଭାବ ପୋଷଣ କରିବା ଦରକାର । କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଘଟଣାଟିର ସବୁଦିଗକୁ ଅନୁଧ୍ୟାନ କରୁଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ନିଶାଗ୍ରସ୍ତ ଥିବାରୁ ତାଙ୍କୁ ବିମାନରୁ ବାହାର କରି ଦିଆଯାଇଛି ବୋଲି ଅଭିଯୋଗ କରାଯାଇଛି । ମାତ୍ର ସଠିକ୍‌ ଜବାବ କେବଳ ଲୁଫାନ୍ସା ବିମାନ ସଂସ୍ଥା ଦେଇପାରିବ ବୋଲି ମନ୍ତ୍ରୀ ସିନ୍ଧିଆ କହିଛନ୍ତି ।

ଜର୍ମାନୀ ନିବେଶକଙ୍କୁ ପଞ୍ଜାବ ପ୍ରତି ଦୃଷ୍ଟି ଆକର୍ଷଣ କରିବା ପରେ ମୁଖ୍ୟମନ୍ତ୍ରୀ ମାନ୍‌ ଫ୍ରାଙ୍କଫର୍ଟ ବିମାନ ବନ୍ଦରରୁ ଲୁଫାନ୍ସା ବିମାନରେ ବସି ଭାରତର ରାଜଧାନୀ ନୂଆଦିଲ୍ଲୀକୁ ଫେରିବାର ଥିଲା । ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମାନ୍‌ ମାତାଲ ଅବସ୍ଥାରେ ଥିବାରୁ ତାଙ୍କୁ ଫ୍ରାଙ୍କଫର୍ଟ ଏୟାରପୋର୍ଟରେ ହିନସ୍ତା ଭୋଗିବାକୁ ପଡ଼ିଲା ।

କଂଗ୍ରେସ ନେତା ପ୍ରତାପ ସିଂହ ମଧ୍ୟ ସିନ୍ଧିଆଙ୍କ ନିକଟକୁ ଚିଠି ଲେଖି ଘଟଣାର ସତ୍ୟାସତ୍ୟ ଯାଂଚ କରିବାକୁ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାନ୍‌ଙ୍କୁ ବିଦେଶ ମାଟିରେ ଅପମାନିତ କରାଯାଇଛି । ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ଖୋଦ୍‌ କେନ୍ଦ୍ରମନ୍ତ୍ରୀ ସିନ୍ଧିଆ ଲୁଫାନ୍ସା ବିମାନ ସେବା ସଂସ୍ଥାକୁ ଚିଠି ଲେଖି ପ୍ରକୃତ ଘଟଣା ଜାଣିବାକୁ ଚାହିଁଛନ୍ତି ।