ହାତୀପିଠିରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା

ଫେରୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ, ଛେଚିବ ବର୍ଷା

ହସିବ ଧରଣୀ, ହସିବ ଚାଷୀ, ହସିବ ସବୁଜ ବନାନୀ…..

ପିତୃପକ୍ଷ ଶେଷ ହେବା ପରଦିନ ଆରମ୍ଭ ହେଉଛି ଆଶ୍ୱିନ ମାସ ଶୁକ୍ଳପକ୍ଷ । ସେପ୍ଟେମ୍ବର ୨୬ ସୋମବାର ପ୍ରତିପଦା ତିଥିଠାରୁ ଆରମ୍ଭ ହେବ ମା’ ଦଶଭୁଜାଙ୍କର ନବରାତ୍ରି । ଅକ୍ଟୋବର ୫ ତାରିଖ ଦିନ ଦେବୀ ମା’ଙ୍କ ପୂଜା ସମାପନ ହେବ । ନବରାତ୍ରି ଅବସରରେ ମା’ଙ୍କର ନଅଟି ସ୍ୱରୂପକୁ ଆରାଧନା କରାଯାଏ । ନିଷ୍ଠାର ସହ ମା’ଙ୍କୁ ଉପାସନା କଲେ, ସକଳ ଦୁଃଖ ଓ ଯନ୍ତ୍ରଣାରୁ ମୁକ୍ତି ମିଳେ । ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ କରନ୍ତି ଦେବୀ ଦୁର୍ଗା । ଜ୍ୟୋତିଷଙ୍କ ମତରେ ଚଳିତ ଥର ମା’ ହାତୀପିଠିରେ ଧରାବତରଣ କରୁଛନ୍ତି ।

କିପରି ଜାଣିବ ମା’ ହାତୀପିଠିରେ ଆସୁଛନ୍ତି?
ଜ୍ୟୋତିର୍ବିଦଙ୍କ ମତରେ ରବିବାର ଅବା ସୋମବାରଠାରୁ ନବରାତ୍ରି ଆରମ୍ଭ ହେଉଥିଲେ; ମା’ ହାତୀପିଠିରେ ଧରାବତରଣ କରୁଛନ୍ତି ବୋଲି ଧରି ନିଆଯାଏ । ଯଦି ଗୁରୁବାର ଅବା ଶୁକ୍ରବାରଠାରୁ ନବଦିନାତ୍ମକ ପୂଜା ଆରମ୍ଭ ହୁଏ; ତେବେ ମା’ ପାଲିଙ୍କିରେ ବସି ଧରାବତରଣ କରୁଥିବାର ଧରି ନିଆଯାଏ । ଶନିବାର ଅବା ମଙ୍ଗଳବାରଠାରୁ ନବରାତ୍ରି ପୂଜା ଆରମ୍ଭ ହେଉଥିଲେ; ମା’ ଦୁର୍ଗା ଘୋଡ଼ା ଚଢ଼ି ଧରାବତରଣ କରୁଥିବାର ଜାଣିବ । ନବରାତ୍ରି ପୂଜା ବୁଧବାରଠାରୁ ଆରମ୍ଭ ହେଉଥିଲେ; ମା’ ନୌକା ଉପରେ ବସି ଧରାବତରଣ କରୁଛନ୍ତି ଜାଣିବ ।
ଏଥର ନବରାତ୍ରି ଅତ୍ୟନ୍ତ ଶୁଭ କ’ଣ ପାଇଁ?

ଶାସ୍ତ୍ର କହେ, ମା’ ଦୁର୍ଗତିନାଶିନୀ ହାତୀ ଉପରେ ବସି ଧରାବତରଣ କରୁଥିଲେ ମା’ଙ୍କ ସାଙ୍ଗରେ ଆକାଶରୁ ମେଘମାଳା ଧରାକୁ ଚାଲିଆସନ୍ତି । ପୃଥିବୀରେ ଅଧିକ ପରିମାଣର ବର୍ଷା ହୋଇଥାଏ । ଚାରିଆଡ଼ ସବୁଜିମା ଭରିଯାଏ । ଗଛଲତା, ପାହାଡ଼ ଜଙ୍ଗଲ ଅତି ସୁନ୍ଦର ଦେଖାଯାନ୍ତି । ଜମିରେ ଭଲ ଫସଲ ହୁଏ । ଚାଷୀର ଅମାର ଧନଧାନ୍ୟରେ ପୁରିଯାଏ । ମଙ୍ଗଳବାର ପାଣିପାଗ ଅଫିସ କହିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ପୁଣି ଫେରୁଛି । ଏହାର ଅର୍ଥ ମା’ ଦୁର୍ଗାଙ୍କ ସାଙ୍ଗରେ ପୁଣି ଫେରୁଛି ପ୍ରବଳ ବର୍ଷା । କେବଳ ହାତୀ ନୁହେଁ, ମା’ ନୌକାରେ ବସି ଧରାବତରଣ କରିବା ମଧ୍ୟ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ।

ନବରାତ୍ରି ଅବସରରେ ଶ୍ରଦ୍ଧାଳୁ ନଅଦିନ ଧରି ପ୍ରତ୍ୟୁଷରୁ ଉଠି ଗାଧୁଆ ପାଧୁଆ ସାରି ସଫା ପୋଷାକ ପିନ୍ଧନ୍ତି । ପ୍ରଥମ ଦିନ ଶୁଭ ସମୟ ଦେଖି କଳସ ଆଣି ସ୍ଥାପନ କରନ୍ତି । କଳସରେ ଗଙ୍ଗାଜଳ ଭରନ୍ତି । କଳସ ମୁହଁରେ ଆମ୍ବପତ୍ର ରଖନ୍ତି । କଳସର ଗ୍ରୀବାଦେଶରେ ଲାଲ ସୂତା ଗୁଡ଼ାଇ ଦିଅନ୍ତି । କଳସ ଉପରେ ନଡ଼ିଆ ରଖି ତା’କୁ ଲାଲ କପଡ଼ାରେ ଘୋଡ଼ାଇ ଦିଅନ୍ତି । କଳସକୁ ମାଟିର ପାତ୍ର ଉପରେ ରଖି ଦିଆଯାଏ । ମାଟିପାତ୍ରରେ କିଛି ଧାନ ବୁଣି ଦିଆଯାଏ । ନବମୀ ଦିନ ଯାଏ ଉକ୍ତ ଧାନ ଉପରେ ପାଣି ସିଂଚନ କରାଯାଏ । ନଅଦିନ ଧରି ମା’ ଦୁର୍ଗାଙ୍କ ଜପ କରାଯାଏ । ମା’ଙ୍କୁ ଘରକୁ ଆମନ୍ତ୍ରଣ କରାଯାଏ । ମା’ଙ୍କ ସମେତ ଅନ୍ୟ ଦେବଦେବୀଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ । ପୂଜାକାର୍ଯ୍ୟରେ ଫୁଲ, କର୍ପୁର, ଧୂପ, ଅଷ୍ଟଗନ୍ଧ ଚନ୍ଦନ, ଅନ୍ନ ବ୍ୟଞ୍ଜନ ଲାଗି କରାଯାଏ ।

ଅଷ୍ଟମୀ ତିଥି ନଚେତ୍‌ ନବମୀ ତିଥିରେ ମା’ଙ୍କ ପୂଜା ସାରିବା ପରେ ନଅଜଣ କନ୍ୟାଙ୍କୁ ଘରକୁ ଡାକିବ । ସେହି ନଅଜଣ କନ୍ୟାଙ୍କୁ ମା’ ଦୁର୍ଗାଙ୍କର ନଅଟି ସ୍ୱରୂପ ମଣିବ । ଝିଅମାନଙ୍କୁ ସଫା ଆସନ ଉପରେ ବସାଇବ । ସେମାନଙ୍କ ପାଦ ଧୋଇବ । ଧୂପଦୀପ ଦେଇ ପୂଜା କରିବ । ସେମାନଙ୍କ ମଥାରେ ତିଳକ ଲଗାଇବ । ସ୍ୱାଦିଷ୍ଟ ଭୋଜନ ଖୁଆଇବ । ଦଶମୀ ଦିନ କଳସ ବିସର୍ଜନ କରିବ ।

ଶାରଦୀୟ ନବରାତ୍ରି ତିଥି
ପ୍ରତିପଦା (ମା’ ଶୈଳପୁତ୍ରୀ): ୨୬ ସେପ୍ଟେମ୍ବର ୨୦୨୨
ଦ୍ୱିତୀୟା (ମା’ ବ୍ରହ୍ମଚାରିଣୀ): ୨୭ ସେପ୍ଟେମ୍ବର ୨୦୨୨
ତୃତୀୟା (ମା’ ଚନ୍ଦ୍ରଘଂଟା): ୨୮ ସେପ୍ଟେମ୍ବର ୨୦୨୨
ଚତୁର୍ଥୀ (ମା’ କୁଷ୍ମାଣ୍ଢା): ୨୯ ସେପ୍ଟେମ୍ବର ୨୦୨୨
ପଂଚମୀ (ମା’ ସ୍କନ୍ଦମାତା): ୩୦ ସେପ୍ଟେମ୍ବର ୨୦୨୨
ଷଷ୍ଠୀ (ମା’ କାତ୍ୟାୟିନୀ): ୦୧ ଅକ୍ଟୋବର ୨୦୨୨
ସପ୍ତମୀ (ମା’ କାଳରାତ୍ରୀ): ୦୨ ଅକ୍ଟୋବର ୨୦୨୨
ଅଷ୍ଟମୀ (ମା’ ମହାଗୌରୀ): ୦୩ ଅକ୍ଟୋବର ୨୦୨୨
ନବମୀ (ମା’ ସିଦ୍ଧିଦାତ୍ରୀ): ୦୪ ଅକ୍ଟୋବର ୨୦୨୨
ଦଶମୀ (ମା’ଙ୍କ ପ୍ରତିମା ବିସର୍ଜନ): ୫ ଅକ୍ଟୋବର ୨୦୨୨