କାଲିଠାରୁ ରାଜଧାନୀରେ ଖୋଲିବ ସିନେମା ହଲ୍‌, ୧୦୦% କ୍ଷମତାର ସହ ଚାଲିବ ବସ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣ କ୍ରମାଗତ ହ୍ରାସ ପାଉଥିବାରୁ ଜାତୀୟ ରାଜଧାନୀରେ କଟକଣାକୁ ଆହୁରି କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସିନେମା ହଲ ଠାରୁ ଆରମ୍ଭ କରି ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ସ୍ପାକୁ ମଧ୍ୟ ଖୋଲିବାକୁ ସରକାର ଘୋଷଣା କରିଛନ୍ତି । ନୂଆ ଗାଇଡଲାଇନ କାଲିଠାରୁ କାର୍ଯ୍ୟକାରୀ ହେବ । ଏହି ଗାଇଡଲାଇନ ଅନୁଯାୟୀ, ଦିଲ୍ଲୀରେ ଥିବା ସମସ୍ତ ସିନେମା ହଲ ଖୋଲିବ । ତେବେ ୫୦% ଦର୍ଶକ ହିଁ ଫିଲ୍ମ ଦେଖିପାରିବେ । ସମସ୍ତ ମାସ୍କ ପିନ୍ଧିବେ ଓ ଗୋଟିଏ ଶୋ’ ପରେ ହଲକୁ ସାନିଟାଇଜ କରି ଦ୍ୱିତୀୟ ଦଫାରେ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଗାଇଡଲାଇନରେ ସ୍ପା ଗୁଡିକୁ ଖୋଲିବା ପାଇଁ ସର୍ତ୍ତ ମୂଳକ ଅନୁମତି ଦିଆଯାଇଛି । ସଂକ୍ରମଣକୁ ରୋକିବା ପାଇଁ ଜାରି ପ୍ରୋଟକଲକୁ କଡାକଡି ଭାବେ ପାଳନ କରାଯିବ । ସ୍ପା ର କର୍ମଚାରୀମାନେ ଟିକାର ଦୁଇଟି ଯାକ ଡୋଜ ନେଇଥିବେ ଓ ସ୍ପା ଖୋଲିବା ପୂର୍ବରୁ ସେମାନଙ୍କ ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ହୋଇଥିବ । ସୋମବାର ଭୋର ୫ଟାରୁ ଦିଲ୍ଲୀର ମେଟ୍ରୋ ଓ ଡିଟିସି ବସ୍‌ ଗୁଡିକ ପୂର୍ଣ୍ଣ କ୍ଷମତାରେ ସେବା ଆରମ୍ଭ କରିବ । ଯେତିକି ସିଟ୍‌ ସେତିକି ଲୋକ ବସ୍‌ ଓ ମେଟ୍ରୋରେ ଯିବା ଆସିବା କରିପାରିବେ । କେହି ବି ଛିଡା ହୋଇ ଯାତାୟାତ କରିପାରିବେ ନାହିଁ । ବସ ଓ ମେଟ୍ରୋରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ । ସେହିପରି ଏଗୁଡିକୁ ନିୟମିତ ସାନିଟାଇଜ ମଧ୍ୟ କରାଯିବ ।
ସେହିପରି ସମସ୍ତ ମାର୍କେଟ, ମାର୍କେଟ କମ୍‌ପ୍ଲେକ୍ସ ଓ ମଲ ଗୁଡିକ ସକାଳ ୧୦ଟାରୁ ରାତି ୮ଟା ଯାଏ ଖୋଲିବ । ରେଷ୍ଟୁରାଣ୍ଟଗୁଡିକ ସକାଳ ୮ଟାରୁ ରାତି ୧୦ଟା ଯାଏ ଏକକାଳୀନ ୫୦% ଲୋକଙ୍କୁ ବସାଇ ଖାଇବାକୁ ଦେଇପାରିବେ । ବାର ଗୁଡିକ ୫୦% ଲୋକଙ୍କୁ ବସାଇ ଦିନ ୧୨ଟାରୁ ରାତି ୧୦ଟା ଯାଏ ସେବା ଯୋଗାଇବେ । ସେହିପରି ଶୁଦ୍ଧିକ୍ରିୟାରେ ସର୍ବାଧିକ ୧୦୦ ଜଣ ଯୋଗ ଦେଇପାରିବେ । ଏହାସହ ବାହାଘରରେ ୧୦୦ରୁ ଅଧିକ ଲୋକ ଯୋଗଦେଇ ପାରିବେ ନାହିଁ । ସମସ୍ତେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ରକ୍ଷା କରିବେ ।
ଅନ୍ୟପକ୍ଷରେ ଧାର୍ମିକ ଅନୁଷ୍ଠାନ ଖୋଲିବ । କିନ୍ତୁ କୌଣସି ଲୋକ ଆସିପାରିବେ ନାହିଁ । ଶିକ୍ଷାନୁଷ୍ଠାନ ପୂର୍ବଭଳି ବନ୍ଦ ରହିବ । ଦିଲ୍ଲୀରେ କୌଣସି ରାଜନୀତିକ, ଧାର୍ମିକ, କ୍ରୀଡା, ସାଂସ୍କୃତିକ ଓ ସାମାଜିକ ସମାବେଶ ହୋଇପାରିବ ନାହିଁ ।