ଆକ୍ସନ ମୁଡ଼ରେ ଏବେ ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ(ଏସ୍ ନ୍ୟୁଜ) : ଆକ୍ସନ ମୁଡ଼ରେ ଏବେ ଦିଲ୍ଲୀ ପୁଲିସ | ଗତକାଲି ଦିଲ୍ଲୀରେ ଟ୍ରାକ୍ଟର ପରେଡ ସମୟରେ ହୋଇଥିବା ହିଂସାକାଣ୍ଡ ଓ ପୁଲିସ ଉପରେ ଆକ୍ରମଣ ଘଟଣା | ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ ପୁଲିସ ଏବେ ତାହାର ଛାନଭିନ ଚଳାଇଛି | ଦିଲ୍ଲୀ ପୁଲିସ ଏବେ ପର୍ଯ୍ୟନ୍ତ ୧୫ଟି ମାମଲା ରୁଜୁ କରିଥିବାବେଳେ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରାଯାଉଛି | ସିସିଟିଭି କ୍ୟାମେରାର ଫୁଟେଜକୁ ଆଧାର କରି ପ୍ରଦର୍ଶନକାରୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି |

ଲାଲକିଲ୍ଲା, ନାଗଲୋଈ, ମୁକାରବା ଛକ ଓ ସେଣ୍ଟ୍ରାଲ ଦିଲ୍ଲୀରେ ଲାଗିଥିବା ସିସିଟିଭି ଫୁଟେଜକୁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଓ କ୍ରାଇମବ୍ରାଞ୍ଚ ଅନୁଧ୍ୟାନ କରୁଛନ୍ତି | ଯେଉଁମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ ଓ ସରକାରୀ ସମ୍ପତ୍ତି ନଷ୍ଟ କରିଥିଲେ ସେମାନଙ୍କୁ ବର୍ତ୍ତମାନ ପୁଲିସ ଖୋଜୁଥିବାବେଳେ ସେହି ସବୁ କୃଷକ ନେତାମାନଙ୍କୁ ଖୋଜାଯାଉଛି ଯେଉଁମାନେ ହିଂସାକାଣ୍ଡ ପାଇଁ ଉସୁକାଇଥିଲେ | ନିର୍ଦ୍ଧାରିତ ରୁଟ ଛାଡି ଅନ୍ୟ ରୁଟରେ ଯିବାକୁ ପ୍ରବର୍ତ୍ତାଇଥିବା କୃଷକ ନେତାଙ୍କୁ ଏବେ ଦିଲ୍ଲୀ ପୁଲିସ ଖୋଜୁଛି | ସେହିପରି ଏହି ହିଂସାକାଣ୍ଡ ପରେ କୃଷି ଆଇନକୁ ନେଇ କୃଷକ ସଂଗଠନ ସହ ଆଲୋଚନା ହେବାକୁ ଥିବା ବୈଠକକୁ ବାତିଲ କରାଯାଇଛି