ଯାନ୍ତ୍ରିକ ତ୍ରୁଟି ସୁଧାରିବାକୁ ବିମାନ କମ୍ପାନୀଙ୍କୁ ଡିଜିସିଏର ଡେଡଲାଇନ

ଦେଶରେ ସମସ୍ତ ବେସାମିରକ ବିମାନ ଚଳାଚଳ କମ୍ପାନୀକୁ ଯାନ୍ତ୍ରିକ ତ୍ରୁଟି ସମସ୍ୟା…

ନୂଆଦିଲ୍ଲୀ: ଦେଶରେ ସମସ୍ତ ବେସାମିରକ ବିମାନ ଚଳାଚଳ କମ୍ପାନୀକୁ ଯାନ୍ତ୍ରିକ ତ୍ରୁଟି ସମସ୍ୟା ସୁଧାରିବା ଲାଗି ଆସନ୍ତା ଜୁଲାଇ ୨୮ ସୁଦ୍ଧା ନିଶ୍ଚିତ କରିବାକୁ ଡେଡଲାଇନ ଦେଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଡିଜିସିଏ । କିଛିଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ଯାତ୍ରୀବାହୀ ବିମାନ ଗୁଡ଼ିକ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହେବା ପରେ ଡିଜିସିଏର ଏକ ଟିମ ଏହି ସମସ୍ୟାର ଯାଞ୍ଚ କରିଥିଲା ।

ଏଥିରୁ ବିମାନ କମ୍ପାନୀଗୁ଼ଡ଼ିକର ତ୍ରୁଟି ନେଇ ବିଭିନ୍ନ କାରଣ ପାଇଥିଲା । ତେବେ ବିମାନ କମ୍ପାନୀ ଗୁଡ଼ିକୁ ମୁଖ୍ୟ ରହଣୀସ୍ଥଳ ଓ ଟ୍ରାନଜିଟ ଷ୍ଟେସନରୁ ବିମାନ ଛାଡ଼ିବା ପୂର୍ବରୁ ସମ୍ପୃକ୍ତ ସଂସ୍ଥାର ଲାଇସେନ୍ସପାପ୍ତ ତଥା ସ୍ୱୀକୃତିପ୍ରାପ୍ତ କର୍ମଚାରୀଙ୍କଠାରୁ ଅନୁମତି ପାଇବା ଦରକାର ବୋଲି ଡ଼ିଜିସିଏ ନିର୍ଦ୍ଦେଶ ଦେଇଛି । ଗଲା କିଛି ଦିନ ଭିତରେ କିଛି କମ୍ପାନୀର ବିମାନ ଉଡ଼ାଣ ଭରିବା ପୂର୍ବରୁ ଓ ପରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହେବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।